ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଘଟଣ । ବ୍ରିଜ ତଳକୁ ଖସିଲା ଆଇରନ ବୋଝେଇ ଟ୍ରକ ଡ୍ରାଇଭର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ-ଜଟିଆ ଗାଁରେ ଥିବା ବ୍ରାହ୍ମଣୀ ନଦୀରେ । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର ।
ସୂଚନା ଯେ, ଓଡ଼ି୦୯ ପି ୦୧୨୨ ନମ୍ବର ଏକ ଆଇରନ ବୋଝେଇ ଟ୍ରକଟି କେନ୍ଦୁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା । ହଠାତ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକା ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରକ ଭିତରେ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ଏନେଇ ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଠିକାସଂସ୍ଥାର ଏକ ମେସିନ ସାହାଯ୍ୟରେ ମୃତ ଡ୍ରାଇଭର ଜଣଙ୍କୁ ଟ୍ରକ ଭିତରୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ୫୩ ନଂ ଜାତୀୟ ରାଜପଥରେ କିଛି ସମୟ ଗାଡି ଚଳାଚଳ ବନ୍ଦ ରହିଥିଲା । ସରାଙ୍ଗ ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି।