ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ୩ ଆହତ
ରୂପସା : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ରୂପ୍ସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଏକ ଟ୍ରକ (ନଂ. ଓଡ଼ି୦୨ସିଡ଼ି-୧୫୭୪) ଭୂବନେଶ୍ୱରରୁ ମାଛ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମିରିଗିମୁଣ୍ଡି ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏହି ଟ୍ରକ୍ରେ ଥିବା ୪ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଟ୍ରକ୍ ହେଲପରଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ । ଜାତୀୟ ରାଜପଥ ପେଟ୍ରୋଲିଂ ଟିମ ପହଞ୍ôଚ ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବରପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ୍ ଓ ରୂପସା ପୋଲିସ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ ଅସ୍ତରଙ୍ଗ ଅଞ୍ଚଳର ନୀଳମଣି ପ୍ରଧାନ । ଆହତମାନେ ମଧ୍ୟ ସେହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏ ନେଇ ରୂପ୍ସା ଥାନା ପୋଲିସ ଏକ ମାମଲା (ନଂ. ୪୪ ।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।