ସାଧାରଣ ଜନତାଙ୍କୁ ଝଟକା ! ତିନି ଗୁଣ ବଢିଲା ପ୍ଲାଟଫର୍ମ ଟିକଟ ମୂଲ୍ୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ଏକ ଝଟକା ଲାଗିଛି। ହଠାତ ରେଳବାଇ ତାହାର ପ୍ଲାଟଫର୍ମ ଟିକଟକୁ ତିନି ଗୁଣ ବୃଦ୍ଧି କରିଛି। ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁହେବ। ଏନେଇ ଗୁରୁବାର ଦକ୍ଷିଣ ରେଳବାଇର ଚେନ୍ନାଇ ଡଭିଜନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପାର୍ବଣରେ ଭିଡ ନିୟନ୍ତ୍ରଣ କରିବା ପାଇଁ ୮ଟି ଷ୍ଟେସନରେ ପ୍ଲାଟଫର୍ମ ଟିକଟର ନୂଆ ମୂଲ୍ୟ ଲାଗୁ ହେବ। ତେବେ ଏହା ଭିନ୍ନ ଭିନ୍ନ ଷ୍ଟେସନରେ ଭିନ୍ନ ଭିନ୍ନ ମୂଲ୍ୟ ରହିଥିବା ମଧ୍ୟ ସୂଚନା ମିଳିଛି।
କୋଭିଡ ସମୟରେ ସଂକ୍ରମଣ ହ୍ରାସ କରିବାକୁ ଭିଡ ନିୟନ୍ତ୍ରଣ ଜରୁରୀ ଥିଲା। ସେତେବେଳେ ରେଳ ଷ୍ଟେସନରେ ଲୋକଙ୍କ ଗମନାଗମନ କମ କରିବା ପାଇଁ ପ୍ଲାଟଫର୍ମ ଟିକଟର ମୂଲ୍ୟକୁ ୫୦ ଟଙ୍କା କରାଯାଇଥିଲା। ଏବେ ପୁଣି ଥରେ ପ୍ଲାଟଫର୍ମ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ଗୁରୁବାର ଦକ୍ଷିଣ ରେଳବାଇର ଚେନ୍ନାଇ ଡଭିଜନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅକ୍ଟୋବର ପହିଲାରୁ ଆସନ୍ତା ବର୍ଷ ଜାନୁଆରୀ ୩୧ ପର୍ଯ୍ୟନ୍ତ ଗୋଟିଏ ପ୍ଲାଟଫର୍ମ ଟିକଟ ପାଇଁ ୧୦ ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ଦେବାକୁ ପଡିବ। ପାର୍ବଣ ପାଇଁ ରେଳଷ୍ଟେସନରେ ଲୋକଙ୍କ ଭିଡ ଜମୁଛି। ତେଣୁ ତାକୁ ନିୟନ୍ତ୍ରଣ କରିବାକୁ ଚେନ୍ନାଇ ଡିଭିଜନର କିଛି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଏହି ନିୟମ ଲାଗୁ କରାଯାଇଛି।
ରେଳବାଇ ଅନୁସାରେ ଚେନ୍ନାଇ ଡିଭିଜନ ଅନ୍ତର୍ଗତ ୮ଟି ଷ୍ଟେସନରେ ପ୍ଲାଟଫର୍ମ ଟିକଟ ମୂଲ୍ୟ ବୃଦ୍ଧି କରାଯାଇଛି। ମହଙ୍ଗା ପ୍ଲାଟଫର୍ମ ଟିକଟ ମିଳୁଥିବା ଷ୍ଟେସନ ଗୁଡିକ ହେଲା- ଚେନ୍ନାଇ ସେଣ୍ଟ୍ରାଲ, ଚେନ୍ନାଇ ଏଗମୋର, ତାମ୍ବାରାମ, କାତପଡି, ଚେଙ୍ଗାଲପଟ୍ଟୁ, ଆରାକୋନାମ, ଥିରୁଭାଲ୍ଲୁର ଓ ଆଭଦି। ଏହି ସବୁ ଷ୍ଟେସନରେ ଆସନ୍ତା ଚାରିମାସ ପାଇଁ ଗୋଟିଏ ପ୍ଲାଟଫର୍ମ ଟିକଟରୁ ୨୦ ଟଙ୍କାରେ କିଣିବାକୁ ପଡିବ। ଅନ୍ୟପଟେ ବିଜୟୱାଡା ରେଳ ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମ ଟିକଟର ମୂଲ୍ୟ ୧୦ରୁ ୩୦ ଟଙ୍କା କରାଯାଇଛି। ଶୁକ୍ରବାର ରାତି ୧୨ଟା ପରଠାରୁ ଏହି ନୂଆ ମୂଲ୍ୟ ଲାଗୁ ହେବ। କିନ୍ତୁ ଅକ୍ଟୋବର ୯ ତାରିଖରେ ପ୍ଲାଟଫର୍ମ ଟିକଟ ମୂଲ୍ୟ ସ୍ୱଭାବିକ ହେବ।
ଚେନ୍ନାଇ ଓ ବିଜୟୱାଡା ପୂର୍ବରୁ ହାଇଦ୍ରାବାଦର କାଚେଗୁଡା ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକଟ ବୃଦ୍ଧି ନେଇ ଦକ୍ଷିଣ କେନ୍ଦ୍ର ରେଳବାଇ ଘୋଷଣା କରିଥିଲା। ପୂଜା ଭିଡ କମାଇବା ପାଇଁ ୧୦ ଟଙ୍କାର ପ୍ଲାଟଫର୍ମ ଟିକଟକୁ ୨୦ ଟଙ୍କା କରାଯାଇଛି। ଏଠାରେ ମଧ୍ୟ ଅକ୍ଟୋବର ୯ ପର୍ଯ୍ୟନ୍ତ ବର୍ଦ୍ଧିତ ମୂଲ୍ୟରେ ପ୍ଲାଟଫର୍ମ ଟିକଟ ମିଳିବ। ତେବେ ଦେଶ ଅନ୍ୟାନ୍ୟ ଷ୍ଟେସନର ପ୍ଲାଟଫର୍ମ ଟିକଟ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତଥାପି ପ୍ଲାଟଫର୍ମ ଟିକଟ କିଣିବା ପୂର୍ବରୁ କାଉଣ୍ଟରରେ ମୂଲ୍ୟ ବୁଝି ନିଅନ୍ତୁ। ଜରୁରୀ ନ ହେଲେ ରେଳଷ୍ଟେସନକୁ ଯାଆନ୍ତୁ ନାହିଁ।