ଶିକ୍ଷା ଅଧିକାରରୁ ବଂଚିତ ହେଉଛନ୍ତି ଆଦିବାସୀ ଛାତ୍ରୀ ୫ବର୍ଷ ହେଲା ବନ୍ଦ ପଡିଛି
ପାକଟିଆ ଆଦିବାସୀ ଛାତ୍ରୀ ନିବାସ ପ୍ରସାଶନିକ ତୃଟି ନେଇ ଅଭିଭାବକଙ୍କ ଅଭିଯୋଗ
ବାରିପଦା : ରାଜ୍ୟରେ ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ବେଳେ, ମୟୂରଭଂଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଂଚଳ ପାକଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ସରକାର ଅଗ୍ରାଧିକାର ଭିତିରେ ୨୦୦୭ ମସିହାରୁ ପ୍ରଥମ ପର୍ଯ୍ୟାୟରେ ଏକ ଆଦିବାସୀ ଛାତ୍ରୀନିବାସ ପ୍ରତିଷ୍ଠା କରିଥିଲେ । ଛାତ୍ରୀନିବାସ ପ୍ରାରମ୍ଭରୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସିଧାସଳଖ ଏହାର ପରିଚାଳନା ଦାୟୀତ୍ୱ ଦିଆଯାଇଥିଲା । ଆଦିବାସୀ ଛାତ୍ରୀନିବାସର ଲୋକପ୍ରିୟତା ଏବଂ ଆବଶ୍ୟକତା ଦୃଷ୍ଟିରୁ ଏହାର ସିଟ ସବୁବେଳେ ପୂର୍ଣ୍ଣ ରହୁଥିଲା ଏବଂ ସୁରୁଖୁରୁରେ ଏହି ଛାତ୍ରୀ ନିବାସ ଚାଲି ଆସୁଥିଲା । ମାତ୍ର ୨୦୧୬ ମସିହାରେ ତତ୍କାଳୀନ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ସରକାରୀ ଆଦିବାସୀ ଛାତ୍ରାବାସ ଗୁଡିକର ପରିଚାଳନା ଦାୟୀତ୍ୱ ପ୍ରଧାନ ଶିକ୍ଷୟିତ୍ରୀ ବହନ କରିବାର ସ୍ପଷ୍ଟ ସରକାରୀ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଏହି ଛାତ୍ରୀନିବାସର ପରିଚାଳନାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସଂପୂର୍ଣ୍ଣ ବହିଷ୍କାର କରି ଅନ୍ୟ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ଏହି ଦାୟୀତ୍ୱ ଦେଲେ । ଏପରିକି ଛାତ୍ରୀନିବାସର ବ୍ୟାଙ୍କ ଆକାଉଂଟ କାରବାର, ପି.ଡି.ଏସ. ଚାଉଳ ଉଠାଣ ଆଦି ପ୍ରଧାନଶିକ୍ଷୟିତ୍ରୀ ସିଧାସଳଖ ନିର୍ବାହ କରିବାର ସ୍ପଷ୍ଟ ନିୟମ ରହିଥିବା ବେଳେ ବିଧିବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବେଖାତିର କରି ଉକ୍ତ ସହକାରୀ ଶିକ୍ଷୟିତ୍ରୀଙ୍କୁ ଦ୍ୱାରା କାହା ସ୍ୱାର୍ଥରେ ସିଧାସଳଖ ଏସବୁ ପରିଚାଳିତ କରିବାକୁ ନିର୍ଦ୍ଦେଶନାମା ଜାରୀ କରାଗଲା ତାହା ତଦନ୍ତ ସାପେକ୍ଷ । ତେବେ ଏହି ସହକାରୀ ଶିକ୍ଷୟିତ୍ରୀ ଛାତ୍ରୀନିବାସର ଦାୟୀତ୍ୱ ନେବା ପରେ ଏଠାରେ ଛାତ୍ରୀ ଅଶାନ୍ତି ତୀବ୍ର ରୂପ ଧାରଣ କରିଥିଲା ଏବଂ ଛାତ୍ରୀ ମାନେ ଅତିଷ୍ଠ ହୋଇ ଅନ୍ଧାର ରାତିରେ ଛାତ୍ରୀନିବାସରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ ଦୀର୍ଘ ୨୫ କି.ମି. ବାଟ ପାଦରେ ଚାଲି ଚାଲି ବାରିପଦା ଆସିଥିଲେ । ଯାହାକି ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳରେ ହଷ୍ଟେଲ ସୁପରିନଟେଣ୍ଡେଟ କରାଯାଇଥିବା ସହକାରୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଦର୍ଶାଇ ଶୁଳିଆପଦା ବ୍ଲକର ତତ୍କାଳୀନ ଡବ୍ଲ୍ୟୁ.ଇ.ଓ. ମାନସୀ ମାସାନ୍ତ ବ୍ୟାଙ୍କକୁ ଦେଇଥିବା ନକଲି ଚିଠି ବଳରେ ସହକାରୀ ଶିକ୍ଷୟିତ୍ରୀ ଟଙ୍କା ଏବଂ ଚାଉଳ ଉଠାଣ କରୁଥିବା କଥା ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗ ଏବାବଦରେ କୌଣଷି କାର୍ଯ୍ୟାନୁଷ୍ଠାନ ନନେଇ ୨୦୧୬-୧୭ ଶିକ୍ଷାବର୍ଷ ଠାରୁ ଏଠାରେ ନୂତନ ଏଡମିଶନ ବନ୍ଦ କରି ଦିଆଯାଇ ଥିବାରୁ ୨୦୧୮ ମ୍ୟାଟ୍ରିକ୍ ପରୀକ୍ଷା ପରେ ଏହି ଛାତ୍ରୀ ନିବାସଟି ବନ୍ଦ ହୋଇ ରହିଛି । ଫଳରେ ଆଦିବାସୀ ଅଧ୍ୟୁଷିତ ଶୁଳିଆପଦା ଅଂଚଳର ବାଳିକା ମାନଙ୍କର ଶିକ୍ଷା ଅଧିକାର କ୍ଷ୍ୟୁର୍ଣ୍ଣ ହେଉଥିବା ଏବଂ କିଛି ନ୍ୟସ୍ତସ୍ୱାର୍ଥ ବିଭାଗୀୟ କର୍ମଚାରୀଙ୍କ ହୀନ ଚକ୍ରାନ୍ତ ଯୋଗୁଁ ଏହି ଛାତ୍ରୀ ନିବାସର ଏପରି ଅବସ୍ଥା ହୋଇଛି ବୋଲି ସ୍ଥାନୀୟ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏବାବଦରେ ବିଗତ ଜିଲ୍ଲା ପରିଷଦ ବୈଠକରେ ମରୋଡା ବିଧାୟକ ରାଜକିଶୋର ଦାସ ଆଦିବାସୀ ଛାତ୍ରୀ ନିବାସ କାହିଁକି ଦୀର୍ଘବର୍ଷ ଧରି ବନ୍ଦରହିଛି ଏହାକୁ ତୁରନ୍ତ ଖୋଲିବାକୁ ଦାବୀ କରିଥିବା ବେଳେ, ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇ ତୁରନ୍ତ ଛାତ୍ରୀ ନିବାସ ଖୋଲିବା ନିମନ୍ତେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ଛାତ୍ରୀ ନିବାସ ଖୋଲିବା ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ କ୍ଷ ଫଳରେ ଆଖ ପାଖ ଅଂଚଳର ଆଦିବାସୀ ଛାତ୍ରୀ ମାନେ ବାଧ୍ୟ ହୋଇ ଦୂରଦୁରାନ୍ତ ଛାତ୍ରୀ ନିବାସରେ ରହି ପାଠ ପଢିବାକୁ ଯାଉଛନ୍ତି କ୍ଷ ତେବେ ଏହି ଛାତ୍ରୀ ନିବାସ ଟି କେବେ ଖୋଲାଯିବ ଏବଂ ବନ୍ଦ ହେବାପଛରେ ରହିଥିବା ଦୂର୍ନିତୀ ବାବଦରେ ତଦନ୍ତ ହେବ କି ନାହିଁ ସେ ବିଷୟରେ ଜିଲ୍ଲାପ୍ରସାଶନ କୌଣଷି ତତ୍ପରତା ଦେଖାଉ ନଥିବାରୁ ବୁଦ୍ଧିଜିବୀ ମହଲରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ତୁରନ୍ତ ଆଦିବାସୀ ଛାତ୍ରୀନିବାସ ଖୋଲିବାକୁ ଦାବୀ ହେଉଛି ।