ଟିପିଏନଓଡିଏଲ ପକ୍ଷରୁ ଅନୁଷ୍ଠିତ ହେଲା ଶାରଦୀୟ ଅମୃତ କୁମ୍ଭ ଅଫରର ବିଜେତା ଚୟନ, ୩୪୦ ବିଜେତା
ବାଲେଶ୍ୱର : ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡ଼ିଏଲ୍) ପକ୍ଷରୁ ଉତ୍ତର ଓଡ଼ିଶାର ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଶାରଦୀୟ ଅମୃତ କୁମ୍ଭ ଅଫରର ବିଜେତା ଚୟନ କରାଯାଇଛି । ରେମୁଣା ସ୍ଥିତି ଟିପିଏନ୍ଓଡ଼ିଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କମ୍ପାନୀର ସିଇଓ ଭାସ୍କର ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ।
ବକେୟା ବିଦ୍ୟୁତ ବିଲ ଆଦାୟ ପାଇଁ ଟିପିଏନଓଡିଏଲ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଗ୍ରାହକଙ୍କୁ ପୁରସ୍କାରର ଅଫର ଦିଆଯାଇଥିଲା । ଏଥିରେ ଅଫର ଅବଧି ମଧ୍ୟରେ ବକେୟା ଥିବା ବିଦ୍ୟୁତ ଦେୟକୁ ଶୂନ୍ୟ ଅର୍ଥାତ ଜିରୋ ଏରିଅର କରୁଥିବା ଗ୍ରାହକମାନଙ୍କ ମଧ୍ୟରୁ ବିଜେତା ଚୟନ ସହ ସେମାନଙ୍କ ପାଇଁ ଭଲ ଭଲ ଉପାଦେୟ ପୁରସ୍କାର ଘୋଷଣା କରାଯାଇଥିଲା । ସେହି କ୍ରମରେ ୪ଟି ଯୋଜନାରେ ବାଲେଶ୍ୱରର ୧,୯୬,୪୯୨, ଭଦ୍ରକର ୬୨.୭୭୫, ମୟୁରଭଞ୍ଜର ୧,୧୬,୪୮୧, ଯାଜପୁରର ୮୦,୧୯୩ ଏବଂ କେନ୍ଦୁଝରର ୧,୦୬,୨୪୯ ଜଣ ଗ୍ରାହକଙ୍କୁ ମିଶାଇ ମୋଟ ୫ଲକ୍ଷ ୬୨ହଜାର ୧୯୦ ଜଣ ଗ୍ରାହକ ଜିରୋ ଏରିଅର କରି ଏହି ଅଫରରେ ସାମିଲ ହୋଇଥିଲେ । ବିଜେତା ଚୟନ ପାଇଁ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ଏପ୍ଲିକେସନ ଦ୍ୱାରା ଜିଲାସ୍ତରୀୟ ଗ୍ରାହକଙ୍କ ମଧ୍ୟରେ ଲଟେରୀ ଉଠାଣ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ମୋଟ୍ ୩୪୦ ଜଣଙ୍କୁ ପୁରସ୍କାର ପ୍ରଦାନ ନେଇ ସିଇଓ ଶ୍ରୀ ସରକାର ଘୋଷଣା କରିଥିଲେ । ଉଭୟ କମ୍ପାନୀ ଓ ଗ୍ରାହକଙ୍କ ଲାଭକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ଏହି ଅଫର ବିଶେଷ ସଫଳତା ମିଳିପାରିଛି ବୋଲି ସେ କହିଥିଲେ । ଆଗାମୀ ଦିନରେ ମଧ୍ୟ ଏହିଭଳି ବିଭିନ୍ନ ଯୋଜନା ସହ ବିଦ୍ୟୁତ୍ ଯୋଗାଣ ସେବାରେ ଉନ୍ନତି ଅଣାଯିବ ବୋଲି ଶ୍ରୀ ସରକାର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଟିପିଏନ୍ଓଡିଏଲ୍ର ଚିଫ୍ ଅଫ୍ କମର୍ସ ଦୁଷ୍ୟନ୍ତ କୁମାର ତ୍ୟାଗୀ, ଚିଫ୍-କମର୍ସିଆଲ୍ ଅଫିସର ରମେଶ କୌଲ୍, ଆଇଟି ଓ ଓଟି ବିଭାଗ ମୁଖ୍ୟ ତରୁଣ ବତ୍ରା, କଷ୍ଟମର୍ ସର୍ଭିସ୍ ବିଭାଗ ମୁଖ୍ୟ ବିନୋଦ କୁମାର, ଏଚ୍ଓଡ଼ି ରେଭିନ୍ୟୁ ଅଧିକାରୀ ଶୁଭଜ୍ୟୋତି ଦାସ ଏବଂ ଜନ ସମ୍ପର୍କ ଅଧିକାରୀ ଚିତରଞ୍ଜନ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।