୪୪ ଉପରେ ୮ ସହର : ବୌଦ୍ଧ ସର୍ବାଧିକ ଉତପ୍ତ ସହର
ଭୁବନେଶ୍ୱର : ଡରାଉଛି ଖରା । ଦିନକୁ ଦିନ ତାତି ବଢୁଛି । ମଧ୍ୟାହ୍ନ ବେଳକୁ ଆକାଶରୁ ନିଆଁ ଖସିବା ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏହା ମଧ୍ୟରେ ଗୁରୁବାର ବୌଦ୍ଧରେ ତାତି ୪୫ ଡିଗ୍ରୀ ଛୁଇଁଛି । ଆଜି ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତା’ ମଧ୍ୟରେ ୮ଟିର ତାପମାତ୍ରା ୪୪ ଡିଗ୍ରୀ ବା ତା’ଠୁ ଅଧିକ ରହିଛି । ବୌଦ୍ଧ ପାଲଟିଛି ସର୍ବାଧିକ ଉତପ୍ତ ସହର । ଏହା ସହିତ ଆଜି ବୌଦ୍ଧରେ ରେକର୍ଡ ହୋଇଛି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ଆହୁରି ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ମେ ପ୍ରଥମ ସପ୍ତାହରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ସାମାନ୍ୟ କମିପାରେ ।
ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ବଲାଙ୍ଗିର ଓ ଦେବଗଡ଼ରେ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୪.୪, ଅନୁଗୋଳରେ ୪୪.୩, ଟିଟିଲାଗଡ଼ରେ ୪୪.୨, ସମ୍ବଲପୁରରେ ୪୪ ଓ ସୋନପୁରରେ ୪୪ ଡିଗ୍ରୀ ରହିଥିଲା ।
ତାଳଚେର ଓ ବରଗଡ଼ରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୩.୧, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ରହିଥିଲା । ସେହିପରି ବାରିପଦାରେ ୪୨.୪ ଡିଗ୍ରୀ, କେନ୍ଦୁଝରରେ ୪୨.୮, ଢେଙ୍କାନାଳରେ ୪୨, ନୂଆପଡ଼ାରେ ୪୨, ଫୁଲବାଣୀରେ ୪୧.୮, ଭଦ୍ରକରେ ୪୧.୫, ଯାଜପୁରରେ ୪୧, ନୟାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୫, ଚାନ୍ଦବାଲିରେ ୪୦.୪, କଟକ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା ତାପମାତ୍ରା ।ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଖୋର୍ଦ୍ଧାରେ ୩୯, ଜଗତସିଂହପୁରରେ ୩୭, କେନ୍ଦ୍ରାପଡ଼ାରେ ୩୯.୮, ନବରଙ୍ଗପୁରରେ ୩୮.୨, ରାୟଗଡ଼ାରେ ୩୯.୮, କୋରାପୁଟରେ ୩୮.୫ ଓ ବାଲେଶ୍ୱରରେ ୩୭.୭ ଡିଗ୍ରୀ ରେକର୍ଡ କରାଯାଇଥିଲା ।