ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ନୀଳାଦ୍ରି ବିଜେ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନାହିଁ। ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ପରେ ହେବ ବନକଲାଗି ନୀତି । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର, କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ତେବେ ପରେ ବୁଧବାର ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣଦର୍ଶନ । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ଏହି ନୀତି । ଆପାତତଃ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ଏକ ମାସରୁ ଉର୍ଦ୍ଧ୍ବ ହେବ ହୋଇପାରିନଥିଲା।
ସୂଚନା ଯେ, ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍ ଧରି ବସିଥିଲେ । ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ ।