ଟୋକିଓ ଅଲିମ୍ପିକ୍ସ : ସେମିଫାଇନାଲରେ ହାରିଲେ ସିନ୍ଧୁ
- ସ୍ୱର୍ଣ୍ଣପଦକ ଆଶା ଧୂଳିସାତ୍, ଏବେ କାଂସ୍ୟ ଉପରେ ନଜର
ଟୋକିଓ : ରିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ତାରକା ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକର ସେମି ଫାଇନାଲ୍ର ଏକକ ବର୍ଗରେ ପରାଜୟର ମୁହଁ ଦେଖିବାକୁ ପଡିଛି । ସେମିରେ ଚୀନୀ ତାଇପେର ତାଇ ଜୁ ୱିଙ୍ଗଙ୍କଠୁ ଏକ ତରଫା ମ୍ୟାଚ୍ରେ ସିନ୍ଧୁ ପରାଜିତ ହୋଇଛନ୍ତି । ଏହି ପରାଜୟ ସହ ପିଭି ସିନ୍ଧୁ ଓ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ ହୋଇଛି । ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି । ହେଲେ ଏବେ ମଧ୍ୟ ସିନ୍ଧୁଙ୍କ କାଂସ୍ୟ ପଦକ ଆଶା ବାକି ରହିଛି । କାଂସ୍ୟ ପଦକ ପାଇଁ ସିନ୍ଧୁଙ୍କ ମୁକାବିଲା ଚୀନର ବିଙ୍ଗ ଜିଆଓଙ୍କ ସହ ହେବ ।
ପିଭି ସିନ୍ଧୁ ଆକ୍ରମଣାତ୍ମକ ଆରମ୍ଭ କରି କିଛି ସମୟ ପର?୍ୟ୍ୟନ୍ତ ୭-୪ରେ ଅଗ୍ରଣୀ ହାସଲ କରିଥିଲେ । ନେଟ୍ ସଟ୍ ଓ ସ୍ମାଶ୍ର ଜବରଦସ୍ତ ବ୍ୟବହାର କରି ସିନ୍ଧୁ ଖେଳରେ ୧୧-୭ରେ ଆଗୁଆ ରହିଥିଲେ । ହେଲେ ତାଇ ଜୋରଦାର ପ୍ରତ୍ୟାବର୍ତନ କରି ସ୍କୋରକୁ ୧୩-୧୩ରେ ବରବାର କରିଥିଲେ । ଦୁଇ ଖେଳାଳି ପ୍ରତିଟି ପଏଂଟ ପାଇଁ କଡା ସଂଘର୍ଷ କରିଥିଲେ । ୧୬-୧୬, ୧୭-୧୭ ଏବଂ ୧୮-୧୮ ପର୍ଯ୍ୟନ୍ତ ମୁକାବିଲା ବରାବର ରହିଥିଲା । ହେଲେ ୱିଙ୍ଗ ତାଇ ଲଗାତାର ୩ ପଏଂଟ ହାସଲ କରି ପ୍ରଥମ ଗେମ୍କୁ ୨୧-୧୮ରେ ନିଜ ନାମରେ କରିଥିଲେ । ଗେମର ଆରମ୍ଭରେ କଡା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସିନ୍ଧୁ ନିଜର ଏକାଗ୍ରତା ହରାଇଥିଲେ । ଯାହାର ଫାଇଦା ଉଠାଇଥିଲେ ପ୍ରତିପକ୍ଷ । ଗେମ୍ ୪-୪ରେ ପହଂଚିବା ପରେ ତାଇ ଗୋଟିଏ ପରେ ଗୋଟିଏ ପଏଂଟ ନେଇ ସିନ୍ଧୁଙ୍କ ଉପରେ ଚାପ ପକାଇଥିଲେ । ସିନ୍ଧୁ ଆଉ ମ୍ୟାଚ୍?ରେ ପ୍ରତ୍ୟାବର୍ତନ କରି ପାରିନଥିଲେ । ତାଙ୍କ ମନୋବଳ ହ୍ରାସ ପାଇଥିବା ସ୍ପଷ୍ଟ ଜଣା ପଡୁଥିଲା । ଶେଷରେ ଦ୍ୱିତୀୟ ଗେମ୍କୁ ତାଇ ୨୧-୧୨ରେ ଜିତି ମ୍ୟାଚ୍ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ପିଭି ସିନ୍ଧୁ ଜାପାନର ୟାମାଗୁଚିଙ୍କୁ ୨-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ । ରିଓ ଅଲିମ୍ପିକ୍ସରେ ହୋଇଥିଲା ସିନ୍ଧୁ ଓ ତାଇଙ୍କ ମୁକାବିଲା : ଏହି ଦୁଇ ଖେଳାଳି ରିଓ ଅଲିମ୍ପିକ୍ସରେ ମଧ୍ୟ ମୁହାଁମୁହିଁ ହୋଇଥିଲେ । ମହିଳା ଏକକ ବର୍ଗର ରାଉଣ୍ଡ ୧୬ରେ ହୋଇଥିବା ମୁକାବିଲାରେ ସିନ୍ଧୁ ତାଇଙ୍କ ୨୧-୧୩ ଓ ୨୧-୧୫ରେ ହରାଇଥିଲେ ।