ଟୋକିଓ ଅଲିମ୍ପିକ୍ସ: ଆଜି ଦୌଡ଼ିବେ ଓଡ଼ିଆ ଝିଅ ଦୂତୀ ଚାନ୍ଦ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଓଡ଼ିଶା ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶୁକ୍ରବାର ଟ୍ରାକ୍କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ସେ ମହିଳା ୧୦୦ ମିଟର ପ୍ରଥମ ରାଉଣ୍ଡ ୧ ହିଟ୍ ପାଇଁ ଟ୍ରାକରେ ଦୌଡ଼ିବେ । ଟ୍ରାକରେ ଦୌଡ଼ିବା ପୂର୍ବରୁ ଦୂତୀ ଚାନ୍ଦ ଜୋରଦାର ଅଭ୍ୟାସ କରିଛନ୍ତି । ରିଓ ଅଲିମ୍ପିକ୍ସ-୨୦୧୬ରେ ଦୂତୀ ଚାନ୍ଦ ପଦକ ପାଇବାରୁ ବଂଚିତ ହୋଇଥିବାରୁ ଏଥର ସେ ଏହା ପୂରଣ କରିବାକୁ ଆଶା ରଖିଛନ୍ତି ।
ଏକମାତ୍ର ଭାରତୀୟ ଆଥ୍ଲେଟ୍ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି। ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେଇଛନ୍ତି। ଶହେ ମିଟର ଦୌଡ଼ରେ ତାଙ୍କର ରେକର୍ଡ ହେଉଛି ୧୧.୧୭ ସେକେଣ୍ଡ, ଯାହା ଜାତୀୟ ରେକର୍ଡ ମଧ୍ୟ।
ଶହେ ମିଟର ଦୌଡ଼ ପାଇଁ ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂ ଥିଲା ୧୧.୧୫ ସେକେଣ୍ଡ। ତେଣୁ ସିଧାସଳଖ ତାଙ୍କୁ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ମିଳି ନଥିଲା। ତେବେ ବିଶ୍ୱ ରାଙ୍କିଂ ଅନୁସାରେ ତାଙ୍କୁ ଟୋକିଓ ଟିକେଟ ମିଳିଛି। ଶହେ ମିଟର ଦୌଡ଼ ଇଭେଣ୍ଟରେ ଦୂତିଙ୍କର ବିଶ୍ୱ ରାଙ୍କିଙ୍ଗ ୪୨ ଥିବା ବେଳେ ୨ ଶହ ମିଟରରେ ରହିଛି ୫୨। ଏହା ହେଉଛି ଦୂତିଙ୍କର ଦ୍ୱିତୀୟ ଅଲିମ୍ପିକ୍ସ। ଏହା ପୂର୍ବରୁ ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ।