ଟୋକିଓ ଅଲିମ୍ପିକ୍ସ : ପ୍ରି-କ୍ୱାର୍ଟର ଫାଇନାଲରେ ମେରି କମ
ନୂଆଦିଲ୍ଲୀ : ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ନିଜର କମାଲ ଦେଖାଇଛନ୍ତି ୬ ଥର ବିଶ୍ବ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରି କମ୍ । ଆଜିର ଉଦଘାଟନୀ ରାଉଣ୍ଡରେ ସେ ନିଜ ଠାରୁ ୧୫ବର୍ଷ ସାନ ଡୋମିନିକାନ୍ ରିପବ୍ଲିକର ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ କଡ଼ା ଟକ୍କର ଦେଇ ଅଲିମ୍ପିକ୍ ଗେମ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୨ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିବା ୩୮ ବର୍ଷୀୟା ମେରି କମ୍, ୧୫ ବର୍ଷ ସାନ ଏବଂ ପାନ୍ ଆମେରିକୀୟ ଗେମ୍ସର ବ୍ରୋଞ୍ଜ ପଦକ ବିଜୟିନୀ ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି ।
ମୁକାବିଲା ଆରମ୍ଭରୁ ବହୁତ ରୋମାଞ୍ଚକ ଥିଲା। ମେରି କମ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ମେରି କମ ନିଜ ପ୍ରତିଦ୍ୱନ୍ଦୀଙ୍କୁ ପରୀକ୍ଷା କରିବାକୁ ସମୟ ନେଇଥିଲେ କିନ୍ତୁ ପରେ ତୃତୀୟ ରାଉଣ୍ଡର ତିନି ମିନିଟରେ ଆକ୍ରୋଶ ପ୍ରଦର୍ଶନ କରିଥିଲେ। ଗାର୍ସିଆ କିନ୍ତୁ ଦ୍ୱିତୀୟ ରାଉଣ୍ଡରେ କିଛି ପଏଣ୍ଟ ସଂଗ୍ରହ କରିଥିଲେ। ମେରି କମ୍ ନିଜର ଦମଦାର ରାଇଟ ହୁକ୍ ସହ ପୁରା ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ଗାର୍ସିଆଙ୍କୁ ନିଜ ଆଡକୁ ଯିବାକୁ ଉତ୍ସାହିତ କରିଥିଲେ ଯାହା ଦ୍ୱାରା ତାଙ୍କୁ ସଠିକ୍ ମୁଥ ମାରିବା ପାଇଁ ସୁଯୋଗ ମିଳିଥିଲା। ଡୋମେନିକା ରିପବ୍ଲିକର ବକ୍ସର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ କିନ୍ତୁ ସେ ଠିକ୍ ଭାବେ ଲଢ଼ି ପାରିନଥିଲେ। ଚାରି ସନ୍ତାନଙ୍କ ମାତା ମେରି କମ୍ ଆଗାମୀ ରାଉଣ୍ଡରେ କଲମ୍ବିଆର ତୃତୀୟ ସିଡ୍ ଇନଗ୍ରିଟ୍ ଭାଲେନ୍ସିୟାଙ୍କ ସହ ଲଢ଼ିବେ ଯିଏ ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା। ମେରି କମଙ୍କ ପରବର୍ତ୍ତୀ ମ୍ୟାଚ୍ ଜୁଲାଇ ୨୯ରେ ହେବ । ସେ କଲମ୍ବିଆର ୨୦୧୬ ରିଓ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟିନୀ ଭାଲେନ୍ସିଆ ଭିକ୍ଟୋରିଆଙ୍କୁ କଡ଼ା ଟକ୍କର ଦେବେ । ତେବେ ଆଜି ମେରି କମଙ୍କ ସହ ଭାରତକୁ ଗର୍ବିତ କରାଇଛନ୍ତି ରିଓ ଅଲିମ୍ପିକ୍ସ୍ ରୌପ୍ୟ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପି ଭି ସିନ୍ଧୁ । ପ୍ରଥମ ମ୍ୟାଚ୍ରେ ଇଜ୍ରାଏଲ୍ର ଜିନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଛନ୍ତି ।