ଟୋକିଓ ଅଲିମ୍ପିକ୍ସ : ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ହକି ଟିମ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ହକି ଟିମ । ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ମୁଷ୍ଟିଯୋଦ୍ଧା ଏମ୍ସି ମେରି କମ୍, ବ୍ୟାଡ୍ମିଣ୍ଟନ୍ ତାରକା ପି ଭି ସିନ୍ଧୁ ଓ ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ଭାରତକୁ ନିରାଶ କରିଛି ଭାରତୀୟ ହକି ଟିମ । ପୁଲ୍ ଏ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ୭-୧ରେ ଭାରତକୁ ହରାଇଛି । ଆରମ୍ଭରୁ ହିଁ ଭାରତୀୟ ଦଳ ମ୍ୟାଚରେ ପଛରେ ପଡିଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳି ଭାରତୀୟ ଦଳକୁ ଆଗକୁ ବଢିବାର ସୁଯୋଗ ଦେଇନଥିଲେ। ଧିରେ ଧିରେ ନିଜର ସ୍କୋର ବଢ଼ାଇ ଚାଲିଥିଲା ଅଷ୍ଟ୍ରେଲିଆ । ମ୍ୟାଚ ମଝିରେ ଭାରତୀୟ ଟିମ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଟିମକୁ ମାତ ଦେଇପାରିନଥିଲେ । ଶେଷରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଟିମ ବିଜୟୀ ହୋଇଥିବା ଦେଖାଯାଇଛି ।
ମ୍ୟାଚ ଆରମ୍ଭରୁ ହିଁ ପଛରେ ପଡିଯାଇଥିଲା ଭାରତ । ଲଗାତାର ଭାବେ ଗୋଲ କରିଚାଲିଥିଲା ଅଷ୍ଟ୍ରେଲିଆ ହକି ଟିମ । ଭାରତୀୟ ଦଳ ପକ୍ଷରୁ ଦିଲପ୍ରୀତ ସିଂହ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଏହା ବ୍ୟତିତ ଭାରତ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନାହିଁ । ହକି ରାଙ୍କ୍ରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଭାରତ ଉପରେ ଭାରି ପଡିଛି । ଏହି ମ୍ୟାଚ ଭାରତ ପାଇଁ କଠିନ ହୋଇଥିବା ବେଳେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହକି ଇଣ୍ଡିଆ । ପ୍ରଥମ କ୍ବାର୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦ୍ବିତୀୟ କ୍ବାର୍ଟରରେ ଭଲ ଆରମ୍ଭ କରିଥିଲା ଭାରତ । ଗୋଲ କରିବାର ସୁଯୋଗ ରହିଥିଲା ସୁଦ୍ଧା ଭାରତୀୟ ଟିମ ବିଫଳ ହୋଇଥିଲା । ଏପରିକି ପେନାଲିଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେ ସୁଯୋଗ ମଧ୍ୟ ହାତ ଛଡା କରିଥିଲା ଭାରତ । ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଏବଂ ଭାରତ । ଏହି ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଥିଲା ଭାରତ ।