ଟୋକିଓ ଅଲିମ୍ପିକ୍ସ : ପୁରୁଷ ସିଙ୍ଗଲ୍ସରେ ଅଭିଯାନ ଶେଷ କଲେ ଜୋକୋଭିକ୍
- ହାରିବା ପରେ ନିୟନ୍ତ୍ରଣ ହରାଇଲେ ରାକେଟକୁ ବାଡେଇ ଭାଙ୍ଗିଦେଲେ
ଟୋକିଓ : ଟୋକିଓ ଅଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସରେ ବିଶ୍ୱ ପ୍ରସିଦ୍ଧ ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ ନିଜର ଅଭିଯାନ ଶେଷ କରିଛନ୍ତି । ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍ରେ ଜୋକୋଭିକ୍ ୪-୬, ୭-୬(୮-୬), ୩-୬ ସେଟ୍ରେ ସ୍ପେନ୍ର ପାବଲୋ କାରେନୋ ବୁଷ୍ଟାଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ସିଙ୍ଗଲ୍ସରେ ପରାଜିତ ହେବା ପରେ ଜୋକୋଭିକ୍ ମିକ୍ସଡ ଡବଲ୍ସରୁ ଓହରି ଯାଇଥିଲେ । ଫଳସ୍ୱରୂପ ଅଷ୍ଟ୍ରେଲିଆର ଆସଲି ବାର୍ଟି ଓ ଜନ ପିୟର୍ସ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ସେହିପରି ପରାସ୍ତ ପରେ ଜୋକୋଭିକ୍ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେ ନିଜ ରାକେଟ୍ ଭାଙ୍ଗିବା ସହ ଅଶୋଭନୀୟ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ଜୋକୋଭିକଙ୍କ ପାଖରେ ଅଲିମ୍ପିକ୍ସରେ ସୁନା ପଦକ ଜିତିବାର ସୁଯୋଗ ଥିଲା । ସେ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିଲମ୍ବଡନରେ ଚାମ୍ପିଅନ ମଧ୍ୟ ହୋଇଥିଲେ । ସୂଚନା ଯେ, ଜୋକୋଭିକ୍ ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଏଥର ମଧ୍ୟ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।