ଆଜି ବାତ୍ୟା ରୂପ ନେବ ‘ଜୱାଦ’ : ମୁକାବିଲା ପାଇଁ ୨୬୬ ଦଳ ପ୍ରସ୍ତୁତ
ଭୁବନେଶ୍ୱର : ଆଜି ସାମୁଦ୍ରିକ ବାତ୍ୟା ରୂପ ନେବ ଜୱାଦ । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିବ। ଡିସେମ୍ବର ୪ ରେ ତାହା ଉତ୍ତର ଉତ୍ତର ପୂର୍ବ ଦିଗକୁ ରିକର୍ଭ କରିବା ସମ୍ଭାବନା ରହିଛି । ତେବେ ସ୍ଥାନରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ବା ବାତ୍ୟା ସ୍ଥଳଭାଗ ଛୁଇଁବି କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଏହି ଲଘୁଚାପ ବଳୟ ଅବପାତର ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ବାତ୍ୟା ରୂପ ନେବାପରେ ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ର ଉପକୂଳ ଓ ଓଡ଼ିଶାର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଅଧିକ ରହିବ । ଡିସେମ୍ବର ୪ ତାରିଖ ବେଳକୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା କେଉଁଠି ଦିଗ ପରିବର୍ତ୍ତନ କରିବ ତାହା ଅସ୍ପଷ୍ଟ ରହିଛି । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର କ’ଣ ପ୍ରଭାବ ପଡ଼ିବ ତାହା ଆସନ୍ତା କାଲି ସୁଦ୍ଧା ସ୍ପଷ୍ଟ ହେବ । ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ କୃଷି ବିଭାଗକୁ ସଜାଗ କରାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇି । କେବଳ ଚିଲିକାରେ କିଛି ମସ୍ୟଜୀବୀ ଭିତରେ ଅଛନ୍ତି, ସେମାନେ ଆଜି କିମ୍ବା କାଲି ସକାଳ ସୁଧା କୂଳକୁ ଫେରିବେ । ଡିସେମ୍ବର ୩ ତାରିଖରୁ ୫ ତାରିଖ ଯାଏଁ ମାଛଧରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହଛନ୍ତି ପ୍ରଦୀପ ଜେନା । ଅମଳ ଶସ୍ୟ ରକ୍ଷଣାବେକ୍ଷଣ ଓ ଯେତିକି ଅମଳ କରିହେବ ତାହାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । ଯେଉଁଠି ଅମଳ ସମ୍ଭବ ନୁେହେଁ ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମାଇକ ମାଧ୍ୟମରେ ଏହାକୁ ନେଇ ଚାଷୀଙ୍କୁ ସଚେତନ କରାଯାଇଛି ।
ବାତ୍ୟାକୁ ନେଇ ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନୀଶମ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଦକ୍ଷିଣ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ଥିବାରୁ ସର୍ବମୋଟ ୬୦ଟି ଓଡ୍ରାଫ, ୩୪ଟି ଏନଡିଆର୍ଏଫ୍, ୧୭୨ଟି ଅଗ୍ନଶମ ଦଳ ସହ ସର୍ବମୋଟ ୨୬୬ଟି ଟିମ୍ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୨୫ ଟିମ୍ ମୁତୟନ ହୋଇସାରିଛନ୍ତି । ୫୧ଟି ଟିମ୍ ହାତରେ ଅଛନ୍ତି । ବାତ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ କଚ୍ଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟୀ ସ୍ଥଳୀକୁ ନିଆଯିବ । ବାତ୍ୟା ଆଶ୍ରୟୀ ସ୍ଥଳରେ କୋଭିଡ ନିୟମ ପାଳନ କରାଯିବ । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରାଯିବ । ଏହି କ୍ରମରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମସ୍ତ କର୍ମଚାରୀ ଓ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ବିଜୁଳି, ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭଗ ଏନେଇ ପ୍ରସ୍ତୁତ ରହିଛନ୍ତି । ସତର୍କତାମୂଳକ ପଦକ୍ଷେପ ମୁତାବକ ସଭିଏଁ ଘରେ ପାଣି ସାଇତି ରଖିବା ଆବଶ୍ୟକ । ଏନେଇ ସମସ୍ତ ବିଭାଗ ତତ୍ପର ଅଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।