ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’, ଘଣ୍ଟାକ ପାଇଁ ହେବ ଅନ୍ଧାର
ଚଳିତବର୍ଷର ଥିମ୍ ‘ଇନଭେସ୍ଟ ଅନ ଆୱାର ପ୍ଲାନେଟ’
ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’ । ଘଣ୍ଟାକ ପାଇଁ ଅନ୍ଧାରରେ ରହିବ ସାରା ଦୁନିଆ । ବିଜୁଳି ସଂରକ୍ଷଣ ପାଇଁ ସନ୍ଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍ସ ଅଫ୍ ରହିବ । ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ବା ଡବ୍ଲୁଡବ୍ଲୁଏଫ ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ଇନଭେସ୍ଟ ଅନ ଆୱାର ପ୍ଲାନେଟ’ ।
ଗତ ୨୦୦୭ରେ ଅଷ୍ଟ୍ରେଲିଆର ସିଡ୍ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ ମାର୍ଚ୍ଚ ୨୫ ତାରିଖରେ ‘ଆର୍ଥ ଆୱାର୍’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍’ ସମୟରେ ଲୋକେ ୧୭୧ ମେଗାୱାଟ୍ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ।
ଆଜିର ଦିନରେ ଅର୍ଥାତ୍ ୨୫-୦୩-୨୩ ତାରିଖ ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା । ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ। ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ପୃଥିବୀକୁ ବଞ୍ଚାଇବା ସହିତ ନିଜେ ମଧ୍ୟ ବଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିବା। ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ସୁଦୃଢ଼ କରି ଗଢି ତୋଳିବା। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହାକୁ ବହୁଳ ମାତ୍ରାରେ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରିବାର ମଧ୍ୟ ଆବଶ୍ୟକତା ରହିଛି।