ଆଜି ଶ୍ରୀଜୀଉଙ୍କ ଆଡ଼ିକିଆ ବେଶ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ : ପଞ୍ଚୁକର ଆଜି ତ୍ରୟୋଦଶୀ ତିଥି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି। ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ। ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହାସହ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ମା ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଯଥା ଘାଗଡାମାଳି, ବରକୋଳିମାଳି, ପଦ୍ମମାଳି, ଗିନିମାଳି, ପଦକମାଳି, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳି, ବାହାଡାମାଳି ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ବିଗ୍ରହମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ।