ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ, ଧୀରେ ଧୀରେ ହେବେ ସୁସ୍ଥ
ପୁରୀ : ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଲରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡିତ । ଅଣବସର ଘରେ ଏବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗୁପ୍ତ ନୀତି । ଦଇତାପତି ମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣବସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲିରି ତେଲ । ଫଳରେ ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ ।
ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ ଓଡିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, କୃଷ୍ଣଭୋଗ ଧାନ, ବେଣାଜେର, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶାଇ ଏହି ତେଲ କୁ ମାଟି ତଲେ ପୋତା ଯାଇଥାଏ । ଆଜି ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏହି ତେଲ ମାଲିସ ହେବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ସୂଚନା ଯେ, ଫୁଲୁରୀ ତେଲ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ। ଏହି ତେଳ ପାଇଁ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ।