ଆଜି ଶ୍ରୀକ୍ଷେତ୍ରରେ ରଥ ଆଜ୍ଞାମାଳ ବିଜେ ନୀତି
ପୁରୀ : ଆଜି ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥକୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେପରେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ ଦେବେ। ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଚୂଡ଼ାନ୍ତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ରଥଯାତ୍ରାର ପୂର୍ବପ୍ରସ୍ତୁତି ଦୃଷ୍ଟିରୁ ଆଜି ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି।
ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ବୁଧବାର ମହାପ୍ରଭୁ ନବଯୌବନ ଦର୍ଶନ ଦେଇଥିବା ବେଳେ ଗୁରୁବାର ମଧ୍ୟ ଭକ୍ତ ମାନେ ଦର୍ଶନର ସୁଯୋଗ ପାଇବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଗୁରୁବାର ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ୩ ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଏବଂ ଭକ୍ତମାନେ ଟାଣି ନେଇଯିବେ ତିନିରଥକୁ। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯିବ। ୩ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ପବିତ୍ର ଘୋଷଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା। ଏଥର ଦୁଇ ଦିନ ନବଯୌବନ ଦର୍ଶନ ପଡିଥିବା ବେଳେ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ଉଭା ଯାତ୍ରା ପଡୁଥିବାରୁ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଜାରି ରହିବ।ଶ୍ରୀଗୁଣ୍ଡିଚା ନୀତିକାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଏହାପରେ ଦର୍ଶନ ବନ୍ଦ ରହିବ ।