ଆଜି ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ପୁରୀରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ୧୦ ମିନିଟ୍ର ମଠ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୪୫ରେ ଚୈତନ୍ୟ ଗୌଡ଼ୀୟ ମଠ ପକ୍ଷରୁ ଆୟୋଜିତ ଶରଧାବାଲି ସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିସନ୍ର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ପ୍ରାୟ ଏକ ଘଣ୍ଟା ସଭାରେ ରହିବା ସହ ଅଭିଭାଷଣ ଦେବା ପରେ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡ୍ ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ହେଲିକପ୍ଟରରେ ବସି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ବଡ଼ଦାଣ୍ଡରେ ବ୍ୟାରିକେଡିଂ ସହ ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଭିଆଇପି ରୋଡ୍, ତାଳବଣିଆ ଯାଆସ ରାସ୍ତା ବ୍ୟାରିକେଡିଂ କରାଯାଇଛି। ଆଜି ଏସ୍ଓଜି କମାଣ୍ଡୋଙ୍କ ସହ ଓଡ଼ିଶା ପୁଲିସଙ୍କୁ ନେଇ ମକ୍ଡ୍ରିଲ୍ କରାଯାଇଛି। ଡଗ୍ସ୍କ୍ବାଡ୍, ମେଟାଲ୍ ଡିଟେକ୍ଟର୍ ସହଯୋଗରେ ତାଳବଣିଆ ହେଲିପ୍ୟାଡ୍କୁ ଯାଞ୍ଚ କରାଯାଇଛି। ରାଜଭବନରେ ବ୍ୟାପକ ସାଜସଜ୍ଜା କରାଯାଇଛି। ତାଳବଣିଆ ହେଲିପ୍ୟାଡ୍କୁ ବି ଆଲୋକୀକରଣ କରାଯାଇଛି।