ଆଜି ଉତ୍ତରପ୍ରଦେଶରେ ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶବାସୀଙ୍କୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ବାରଣାସୀରେ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିବା ପରେ ଗୁରୁବାର ପୁଣି ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜି ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ କରଖିୟାନ ପାର୍କରେ ୩୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ‘ବାନାସ ଡାଏରୀ ସାନକୁଲ’ ଅନ୍ୟତମ । ୪୭୫ କୋଟି ଟଙ୍କାରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଦିନକୁ ୫ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିବାର କ୍ଷମତା ରହିବ । ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ ଆଣିବାରେ ସହାୟକ ହେବ । ଏହା କୃଷକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହାବାଦ ବାନାସ ଡାଏରୀ ସହିତ ଜଡିତ ୧.୭ ଲକ୍ଷ ଦୁଗ୍ଧ ଉତ୍ପାଦକଙ୍କୁ ୩୫ କୋଟିର ବୋନସ ବ୍ୟାଙ୍କ ଋଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ଏହାଛଡା ବନାରସର ରାମନଗରରେ ଏକ ବାୟୋଗ୍ୟାସ ଇଲେକ୍ଟ୍ରିସିଟି ଜେନେରେସନ ପ୍ଲାଣ୍ଟର ଉତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଏହାସହିତ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ସହାୟତାରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ଦ୍ବାରା ବିକଶିତ ଦୁଗ୍ଧଜାତ ଦ୍ରବ୍ୟର କନଫର୍ମିଟି ଆସେସମେଣ୍ଟ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ପୋର୍ଟାଲ୍ ଏବଂ ଲୋଗୋ ମଧ୍ୟ ଲଞ୍ଚ କରିବେ। ୟୁନିଫାଏଡ୍ ଲୋଗୋ ଉଭୟ ବିଆଇଏସ ଏବଂ ଏନଡିଡିବି ଗୁଣବତ୍ତା ଚିହ୍ନଟ ହେବ ।
ତୃଣମୂଳ ସ୍ତରରେ ଜମି ମାଲିକାନା ସମସ୍ୟା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ ସୌମିତ୍ର ଯୋଜନାରେ ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘାରୁନି’ ବଣ୍ଟନ କରିବେ । ଯାହା ଭର୍ଚୁଆଲି ସମ୍ପର୍ଣ୍ଣ ହେବ । ବାରାଣାସୀରେ ଏକାଧିକ ସହରାଞ୍ଚଳ ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ପୁରୁଣା କାଶୀ ୱାର୍ଡର ପୁନଃନିର୍ମାଣ, ବେନିଆବାଗରେ ଏକ ପାର୍କିଂ ଏବଂ ପାର୍କ, ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ, ରାମନା ଗ୍ରାମରେ ଗୋଟିଏ ସ୍ବରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ସ୍ମାର୍ଟ ସିଟି ମିଶନ୍ ଅଧୀନରେ ୭୨୦ ସ୍ଥାନରେ ଉନ୍ନତ ସିସିଟିଭି କ୍ୟାମେରା ଲାଗିବା କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଶିକ୍ଷା କ୍ଷେତ୍ରରେ ପ୍ରାୟ ୧୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇଣ୍ଟର ୟୁନିଭରସିଟି ସେଣ୍ଟର ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଉଚ୍ଚଶିକ୍ଷା କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି । ୭ କୋଟିରୁ ଅଧିକ ବ୍ୟୟରେ ବିଏଚୟୁ ଏବଂ ଆଇଟିଆଇରେ ଆବାସିକ ଫ୍ଲାଟ ଏବଂ ଷ୍ଟାଫ୍ କ୍ବାଟର୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହେବ । ସ୍ବାସ୍ଥ୍ୟ କ୍ଷେତ୍ରରେ ୧୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ।