ଆଜି କୃଷକ ଆନ୍ଦୋଳନକୁ ବର୍ଷେ ପୂର୍ତ୍ତି : ଦିଲ୍ଲୀ ଅଭିମୁଖେ ଚାଷୀ, ଜାତୀୟ ରାଜପଥ ବନ୍ଦ ସହ ସୁରକ୍ଷା ବଢାଇଲା ପୋଲିସ
ନୂଆଦିଲ୍ଲୀ : ଆଜି କୃଷକ ଆନ୍ଦୋଳନକୁ ବର୍ଷେ ପୂର୍ତ୍ତି । ଦିଲ୍ଲୀ ଅଭିମୁଖେ ଚାଷୀ । ଜାତୀୟ ରାଜପଥ ବନ୍ଦ କରିବା ସହ ସୁରକ୍ଷା ବଢାଇଲା ଦିଲ୍ଲୀ ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ସୁଦ୍ଧା କୃଷକ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ନାଁ ଧରୁନାହିଁ ।
ଏହାରି ମଧ୍ୟରେ ଶୁକ୍ରବାରରେ ଏହି ଆନ୍ଦୋଳନକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ତେବେ ଆନ୍ଦୋଳନର ଏକବର୍ଷ ପୂର୍ତ୍ତି ଅବସରରେ ଆନ୍ଦୋଳନକାରୀ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଆହ୍ବାନ ଦେଇଛନ୍ତି । କୃଷକ ସଂଗଠନଗୁଡ଼ିକର ଏହି ଆହ୍ବାନକୁ ଦୃଷ୍ଟିରେ ରଖି ଏବେ ପୁଣି ଥରେ ଦିଲ୍ଲୀ ସୀମାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜପଥର ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯିବା ସହ ବହୁ ମାତ୍ରାରେ ସୁରକ୍ଷାବଳ ମୂତୟନ କରିବାରେ ଲାଗିଛି ଦିଲ୍ଲୀ ପୋଲିସ । ସଂଯୁକ୍ତ କିଶାନ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ଗତ ଏକ ବର୍ଷଧରି ସିଂଘୁ ସୀମାରେ ଚାଷୀଙ୍କ ସହ ରହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି । କିଛି ମାସ ପୂର୍ବେ ସୀମାରେ ଲାଗିଥିବା ବାରିକେଡ ହଟାଯିବା ସହ ସୁରକ୍ଷାବଳ ମୂତୟନକୁ ମଧ୍ୟ ହ୍ରାସ କରାଯାଇଥିଲା । କିନ୍ତୁ ଏକ ବର୍ଷ ପୂର୍ତ୍ତି ଅବସରରେ ଚାଷୀ ପୁଣି ଥରେ ଦିଲ୍ଲୀ ଆଡକୁ ମୁହାଁଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।