ଆଜି ଇତିହାସ ରଚିବ ଟିମ ଇଣ୍ଡିଆ, ଖେଳିବ ୧୦୦୦ ତମ ଏକଦିବସୀୟ ମ୍ୟାଚ
ପ୍ରଥମ ଦିନିକିଆରେ ରୋହିତଙ୍କ ସହ ଓପନ କରିବେ ଇଶାନ
ମୁମ୍ବାଇ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ରବିବାର ଖେଳାଯିବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷନ ଇନିଂସ ଓପନ କରିବେ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ସୂଚନା ଦେଇଛନ୍ତି । ଉଭୟ ରୋହିତ ଓ କିଷନ ଆଜି ଅଭ୍ୟାସ କରିଛନ୍ତି । ଭାରତର ନିୟମିତ ଓପନର ଶିଖର ଧୱନ କରୋନା ଆକ୍ରାନ୍ତ ଥିବାବେଳେ କେଏଲ ରାହୁଲ ୨ୟ ଦିନିକିଆରୁ ଦଳରେ ଯୋଗ ଦେବେ । ସେହିପରି ନୂଆ ଓପନର ଋତୁରାଜ ଗାଇକ୍ୱାଡ୍ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୟଙ୍କ ଅଗ୍ରୱାଲ ଏବେ କ୍ୱାରାଂଟାଇନରେ ରହିଛନ୍ତି । ରବିବାର ଖେଳାଯିବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚଟି ଭାରତର ୧,୦୦୦ ତମ ଏକଦିବସୀୟ ମ୍ୟାଚ ହେବ । ଅର୍ଥାତ ଭାରତ ଏପର୍ଯ୍ୟନ୍ତ ମୋଟ ୯୯୯ଟି ଏକଦିବସୀୟ ମ୍ୟାଚ ଖେଳିଛି । ସୂଚନାଯୋଗ୍ୟ ଯେ, ଭାରତୀୟ ଦଳର ଆଉ କେତେକ ଖେଳାଳି ଯେପରିକି ଶ୍ରେୟସ ଆୟାର ଓ ନବଦୀପ ସାଇନି ଓ ଅକ୍ଷର ପଟେଲ କରୋନା ସଂକ୍ରମିତ ହୋଇଛନ୍ତି । ଅହମଦାବାଦରେ ପହଂଚିବା ପରେ ଏସବୁ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା ।
ଏହି ଭାରତ ଗସ୍ତରେ ଇଣ୍ଡିଜ୍ ଦଳ ୩ ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବ । ରବିବାର ପ୍ରଥମ ଦିନିକିଆ ମ୍ୟାଚ୍ରୁ ହିଁ ଶୃଙ୍ଖଳା ଆରମ୍ଭ ହେବ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଭାରତର ୧୦୦୦ତମ ଦିନିକିଆ ଆନ୍ତର୍ଜାତିକର ମାନ୍ୟତା ବହନ କରିବ । ଏହି ମାଇଲଖୁଂଟ ମ୍ୟାଚ୍ ଅହମଦାବାଦସ୍ଥିତ ବିଶ୍ୱର ବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ପୁଣି ରୋହିତ ଶର୍ମା ହିଁ ଏହି ମାଇଲଖୁଂଟ ୧୦୦୦ତମ ଦିନିକିଆ ମ୍ୟାଚ୍ର ନେତୃତ୍ୱ ନେବେ । ବିରାଟ କୋହଲିଙ୍କ ଉତରାଧୀକାରୀ ଭାବେ ରୋହିତଙ୍କୁ ସୀମିତ ଓଭର (ଧଳା ବଲ୍ କ୍ରିକେଟ୍)ର ପୂର୍ଣ୍ଣକାଳୀନ ଅଧିନାୟକ ମନୋନୀତ କରାଯାଇଥିଲା । ହେଲେ ସେ ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରୁ ଓହରିଯାଇଥିଲେ । ସେହି ଗସ୍ତରେ ଭାରତ ୧-୨ରେ ଟେଷ୍ଟ୍ ଏବଂ ୦-୩ରେ ଦିନିକିଆ ଶୃଙ୍ଖଳା ହାରିଯାଇଥିଲା । ଏବେ କିନ୍ତୁ ନୂଆ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ରୋହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରୁ କାର୍ଯ୍ୟ ଆରମ୍ଭ କରିବେ । ହେଲେ ରୋହିତଙ୍କ ନେତୃତ୍ୱରେ ଭାରତ ୧୦୦୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ ସେହି ମ୍ୟାଚ୍ରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିନି । ତଥାପି ରୋହିତ ଦଳକୁ ଫେରିବା ଏବଂ ନେତୃତ୍ୱ ନେବା ପରେ ଭାରତର ଭାଗ୍ୟ ବଦଳିବ ବୋଲି ଆଶା ରହିଛି । ରବିବାର ମ୍ୟାଚ୍ ପୂର୍ବରୁ ଓପ୍ନର ଶିଖର ଧାୱନ୍, ଶ୍ରେୟସ ଆୟର ଓ ଋତୁରାଜ ଗାଏକ୍ୱାଡଙ୍କ ସମେତ ୪ ଖେଳାଳି କୋଭିଡ୍ ସଂକ୍ରମିତ ଯୋଗୁଁ ଖେଳିବା ଆଶା କମ୍ ରହିଛି । ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଛି । ଏହାସତ୍ୱେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳା ରୋହିତଙ୍କ ନେତୃତ୍ୱରେ ଭାରତ ଜିତିବାର ଲକ୍ଷ୍ୟ ରଖିଛି ।ରୋହିତ ଭାରତ ପାଇଁ ୧୦୦୦ତମ ଦିନିକିଆ ଆନ୍ତର୍ଜାତିକରେ ନେତୃତ୍ୱ ନେବାକୁ ଯାଉଥିଲା ବେଳେ ଏହାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ଭାରତର ୫୦୦ତମ ଦିନିକିଆ ଆନ୍ତର୍ଜାତିକରେ ନେତୃତ୍ୱ ନେଇଥିବା କଥା ମନେ ପକାଇ ଦେଇଛନ୍ତି । ‘‘ମୁ ୫୦୦ତମ ଦିନିକିଆ ଆନ୍ତର୍ଜାତିକରେ ଭାରତର ନେତୃତ୍ୱ ନେଇଥିଲି । ଏହି ମ୍ୟାଚ୍ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଚେଷ୍ଟର-ଲି-ଷ୍ଟ୍ରିଟ୍ରେ ଖେଳାଯାଇଥିଲା’’ ବୋଲି ଗାଙ୍ଗୁଲି ଆଭାସ ଦେଇଛନ୍ତି । ୧୦୦୦ତମ ମ୍ୟାଚ୍ର ନେତୃତ୍ୱ ରୋହିତଙ୍କ ପାଇଁ ସ୍ମରଣୀୟ ମୁହୁର୍ତ ହେବ । କିନ୍ତୁ ଦୁର୍ଭାଗ୍ୟବଶତଃ ବିନା ଦର୍ଶକରେ ଏହି ମ୍ୟାଚ୍ ଖେଳାଯିବ ବୋଲି ଗାଙ୍ଗୁଲି କହିଛନ୍ତି ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଭଳି ଏକ ଅକଳନୀୟ ଦଳ ଭାରତ ପାଇଁ ଆହ୍ୱାନ ଆଣିପାରେ । ଭ୍ରଣକାରୀ ଦଳ ନିକଟରେ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାକୁ ୩-୨ରେ ଜିତି ଭାରତ ଆସିଛି । ଗତ ଟି-୨୦ ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ସାଙ୍ଗକୁ ଆୟର୍ଲାଣ୍ଡ୍ଠୁ ଦିନିକିଆ ଶୃଙ୍ଖଳା ପରାଜୟ ପରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଜୟ ଇଣ୍ଡିଜ୍ ଦଳର ମନୋବଳ ଉଚ୍ଚରେ ରଖିଛି । ପୁଣି ଦ୍ରୁତ ବୋଲର କେମାର ରୋଚ୍ଙ୍କ ପ୍ରତ୍ୟାବର୍ତନ ସାଙ୍ଗକୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଜାସନ୍ ହୋଲ୍ଡରଙ୍କ ମାରାତ୍ମକ ବୋଲିଂ ଦଳକୁ ଭାରତ ବିପକ୍ଷରେ ଟକ୍କର ଦେବାରେ ସହାୟକ ହେବ । ୱେଷ୍ଟଇଣ୍ଡିଜ୍ ଦଳ ଅହମଦାବାଦରେ ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ପରେ କୋଲ୍କାତାରେ ତିନିଟିଯାକ ଟି-୨୦ ମ୍ୟାଚ୍ ଖେଳି ଭାରତ ଗସ୍ତ ଶେଷ କରିବ ।