ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ସବୁ ଜିଲା ପାଇଁ ଆଲର୍ଟ ଜାରି
ଭୁବନେଶ୍ୱର : ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛିକାଂଶରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ପୂର୍ବାଳୀ ତରଙ୍ଗାୟିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଯାହାର ପ୍ରଭାବରେ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ସହ ମିଶିବା ହେତୁ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ଗତ କାଲି ରାଜ୍ୟର ଗଞ୍ଜାମ, ଗଜପତି, ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଆଜି ମଧ୍ୟ ଏହାର ପ୍ରଭାବ ଯୋଗୁ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପଧରଣ ବର୍ଷାର ହେବାର ସମ୍ଭାବନା ରହିଛି ।
ତେବେ ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁଁ ରାଜ୍ୟର କିଛି ସ୍ଥାନରେ ଏହିଭଳି ପାଗ ରହିବା ନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବା ସହ ଥଣ୍ଡା କମ୍ ରହିପାରେ। ଏଥିସହ ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ସକାଳୁ ସମ୍ପୂର୍ଣ୍ଣ ମେଘମୁକ୍ତ ରହିବ। ଅପରାହ୍ଣ ସମୟରେ ପାଗ ଆଂଶିକ ମେଘୁଆ ହୋଇପାରେ। ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ନଭେମ୍ବରଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଶୀତ ଅନୁଭୂତ ହେବ। ଡିସେମ୍ବର ଓ ଜାନୁଆରୀ ମାସରେ ରାଜ୍ୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି।
ସେପଟେ ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରବାହ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି।ଏଥି ସହ କିଛି ସ୍ଥାନରେ ଏବେ ମଧ୍ୟ ଉତ୍ତାପ ଅନୁଭୂତ ହେଉଥିବା ଜଣାପଡ଼ିଛି। ଏବେ ଦକ୍ଷୀଣ ଭାରତର ରାଜ୍ୟମାନଙ୍କରେ ବର୍ଷା ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ତେବେ ଆଗାମୀ ଦିନମାନଙ୍କରେ ଏହି ତାପମାତ୍ରା ହ୍ରାସ ହେବାର କୌଣସି ସୂଚନା ନାହିଁ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ନଭେମ୍ବରରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହୋଇପାରେ।