ଆଜି ବିଶ୍ୱ ଓଜୋନ୍ ଦିବସ ! ଓଜୋନ୍ ସଞ୍ଚୟ କରନ୍ତୁ, ପୃଥିବୀକୁ ବଞ୍ଚାନ୍ତୁ
ପୃଥିବୀରେ ଓଜୋନ ପରସ୍ତ ସଂରକ୍ଷଣ ପାଇଁ ୧୯୯୪ ସେପ୍ଟେମ୍ବର ୧୬ ତାରିଖକୁ ଜାତିସଂଘ ସାଧାରଣ ସଭାରେ ବିଶ୍ୱ ଓଜୋନ ଦିବସ ଘୋଷଣା କରାଗଲା । ଓଜୋନ ପରସ୍ତ ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ସଂରକ୍ଷଣ ନିମନ୍ତେ ଉପାୟ ଅନ୍ୱେଷଣ ଏହି ଦିବସର ମୂଳ ଉଦ୍ଦେଶ୍ୟ ।
ଗ୍ୟାସର ସୂକ୍ଷ୍ମ ପରତ, ଓଜୋନ ପରସ୍ତ, ସର୍ଯ୍ୟ ରଶ୍ମିର କ୍ଷତିକାରକ ତତ୍ତ୍ୱରୁ ପୃଥିବୀକୁ ରକ୍ଷା କରିବା ସହ ପୃଥିବୀରେ ଜୀବଜଗତ ସଂରକ୍ଷଣରେ ଭାଗ ନେବା ପାଇଁ ଏହି ଦିନ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦିଆଯାଏ । ସେମିନାର ଭଳି ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାରା ବିଶ୍ୱର ଜନତା କାନାଡ଼ାର ମୋଣ୍ଟ୍ରିଲ ସହରରେ ଏକତ୍ର ହୋଇଥାନ୍ତି । ଏହାକୁ ବାଦ ଦେଲେ ସମସ୍ତ ବିଦ୍ୟାଳୟରେ ଏ ଅବସରରେ ଓଜୋନ ପରସ୍ତ ଉପରେ ଶିକ୍ଷା ଦିଆଯାଏ । ସଚେତନତା ପାଇଁ ଅନେକ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହା ଏଭଳି ଏକ ଦିବସ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଭାଗ ନେଇପାରେ ।
ଓଜୋନ ପରସ୍ତ ମଣିଷକୁ ସୁସ୍ଥ ରଖିବା ସହ କ୍ଷତିକାରକ ଅତିବାଇଗଣୀ ରଶ୍ମି ଠାରୁ ପରିବେଶକୁ ରକ୍ଷା କରିଥାଏ । ସଂପ୍ରତି ବିଶ୍ୱ ଏକ ପ୍ରକାର ପାଣିପାଗ, ଉତ୍ତାପ, ଜଳବାୟୁ ପ୍ରଭୃତିକୁ ନେଇ ଯେଉଁଭଳି ଭାବେ ଅସନ୍ତୁଳିତ ଓ ଏକ ପ୍ରକାର ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ଏପରି ସମୟରେ ବାୟୁମଣ୍ଡଳର ଉପର ଭାଗ ଷ୍ଟ୍ରାଟୋସ୍ପିୟରରେ ସୂର୍ଯ୍ୟର ଅତିବାଇଗିଣୀ ରଶ୍ମୀର ଅଧିକାଂଶ ଭାଗ ଶୋଷି ହେଉଥିବାରୁ ଏହା ମାନବ ତଥା ଜୀବଜଗତ ପ୍ରତି ଅତ୍ୟନ୍ତ କ୍ଷତିକାରକ ସାଜୁଛନ୍ତି । ଅନେକ ହୁଏତ ଜାଣିନଥିବେ ଏହି ଓଜୋନ ସ୍ତର ଏହି ରଶ୍ମୀକୁ ପୃଥିବୀ ଉପରେ ପଡ଼ିବାକୁ ଦେଇନଥାଏ । ବିଶ୍ୱର ପାଣିପାଗ ଜନିତ ଭୟାବହତାକୁ ଦେଖିଲେ ଆମ ସମସ୍ତଙ୍କ ଭିତରେ ବୃକ୍ଷ ଓ ପରିବେଶର ସବୁଜ ସଂରକ୍ଷଣ ଦାୟିତ୍ୱ ପ୍ରତି ଜାଗ୍ରତ ଓ ସଚେତନ ହେବା ଅତ୍ୟନ୍ତ ଜରୁରୀ ।
ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ । ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ । ଶିଳ୍ପ ବିପ୍ଳବ ପୂର୍ବରୁ ମାନବର କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହୋଇଥିବା ଅଙ୍ଗାରକାମ୍ଳକୁ ଆମ ଜଙ୍ଗଲ ଶୋଷଣ କରିନେବାରେ ସକ୍ଷମ ଥିଲା । କିନ୍ତୁ ଶିଳ୍ପ ଯୁଗ ଆରମ୍ଭ ହେବା ପରେ ଇନ୍ଧନର ବହୁଳ ବ୍ୟବହାର, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ ଆଦି ପ୍ରମୁଖ କାରଣ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବାରେ ଲାଗିଛି । ଏପରି ସ୍ଥଳେ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ରୋକିବାକୁ ପ୍ରତି ବ୍ୟକ୍ତି ଉଦ୍ୟମ କରିବାର ସମୟ ଉପନୀତ ।
ଛୋଟ ଛୋଟ ପ୍ରଚେଷ୍ଟାରେ ଏ ଦିଗରେ ସଫଳତା ମଧ୍ୟ ମିଳିପାରିବ । କେତେକ ଆବଶ୍ୟକ ପଦକ୍ଷେପ ଆମ ଘରକୁ ପରିବେଶ ଅନୁକୂଳ କରିବାରେ ଯଥେଷ୍ଟ ସାହାଯ୍ୟ କରିପାରିବ । ପରିବେଶ ପ୍ରଦୂଷଣରେ ଜୀବାଶ୍ମ ଇନ୍ଧନ ମୁଖ୍ୟ କାରକ । ତେଣୁ ନିତିଦିନିଆ ଜୀବନରେ ପ୍ରାକୃତିକ ଗ୍ୟାସ, ତୈଳ ଆଦି ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଘରକୁ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ସହ ହିଟ ପମ୍ପ ବ୍ୟବହାର କରିହେବ । ବିଦ୍ୟୁତ ସୃଷ୍ଟି ନିମନ୍ତେ ତ ସୋଲାର ପ୍ୟାନେଲ, ବ୍ୟାଟେରିର ଉପଯୋଗ ବଢ଼ାଇ ହେବ । ଶକ୍ତି ଖର୍ଚ୍ଚକୁ ନିୟନ୍ତ୍ରଣ ନିମନ୍ତେ ଆମେ ଘରେ ସ୍ମାର୍ଟମିଟର ବସାଇପାରିବା । ହିଟ ପମ୍ପ ଯୋଗେ ଘରୁ ଗରମ ଏବଂ ଥଣ୍ଡା ବାୟୁକୁ ବାହାର କରି ତାପମାତ୍ରା ସନ୍ତୁଳିତ କରିହେବ । ହିଟ ପମ୍ପର ବ୍ୟବହାର ଅଧିକାଂଶ ଲୋକଙ୍କ ପକେଟକୁ ମଧ୍ୟ ସୁହାଇବ । ଅତ୍ୟଧିକ ଥଣ୍ଡା ପାଣିପାଗରେ ମଧ୍ୟ ଏହା କାର୍ଯ୍ୟ କରିବାରେ ସକ୍ଷମ । ତେବେ କମ ତାପମାତ୍ରାରେ ଏହା ଅଧିକ ବିଦ୍ୟୁତଶକ୍ତି ଆବଶ୍ୟକ କରିଥାଏ । ଗ୍ୟାସ ଚାଳିତ ଉପକରଣ ବଦଳରେ ଇଣ୍ଡକ୍ସନ ରେଞ୍ଜକୁ ଗୁରୁତ୍ୱ ଦେଇପାରିବା । ଏହା ସିଧାସଳଖ ଭାବେ କୌଣସି ପାତ୍ରକୁ ଗରମ କରିବା ପାଇଁ ଚୁମ୍ବକ ବା ମାଗନେଟ ବ୍ୟବହାର କରେ । ଏହା ଗ୍ୟାସ ରେଞ୍ଜ ଠାରୁ ସାମ।ନ୍ୟ ମହଙ୍ଗା । ଏଥିପାଇଁ ଅଲଗା ରୋଷେଇ ଶୈଳୀ ଏବଂ ସ୍ୱତନ୍ତ୍ର ଉପକରଣ ଆବଶ୍ୟକ । ବିଦ୍ୟୁତଚାଳିତ ଯାନର ମାଲିକ ପ୍ରାୟତଃ ଘରେ ଚାର୍ଜର ଇନଷ୍ଟଲ କରୁଛନ୍ତି, ଯାହା ବାହାରେ ଗାଡ଼ି ଚାର୍ଜ କରିବା ଜନିତ ଖର୍ଚ୍ଚରୁ ବଞ୍ଚାଉଛି । ଏହାଦ୍ୱାରା ବ୍ୟାଟେରି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁଛି ।
ଏ ଦିଗରେ ଆମେ ଅଧିକରୁ ଅଧିକ ଟେକ୍ନୋଲୋଜିର ସହାୟତା ନେଇପାରିବା । ସ୍ମାର୍ଟ ମିଟର, ପ୍ୟାନେଲ, ଥର୍ମୋଷ୍ଟାର ଆଦି କେଉଁ ଜିନିଷ କେତେ ବିଦ୍ୟୁତ ଖର୍ଚ୍ଚ କରୁଛି ଏବଂ ଏ ବାବଦରେ ଘରର ମୋଟ ଖର୍ଚ୍ଚ ଆମକୁ ଜଣାଇପାରିବ । ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି କେଉଁ ସମୟରେ ଗାଡ଼ି ଚାର୍ଜ କରିବା ଭଳି କାର୍ଯ୍ୟରେ ବିଦ୍ୟୁତ ଖର୍ଚ୍ଚ କରିପାରିବେ ତାହା ଜାଣିପାରିବେ । ପାୱାରଗ୍ରୀଡ଼ରୁ ବିଦ୍ୟୁତ କିଣିବା ପରିବର୍ତ୍ତେ ଘର ଛାତରେ ସୋଲାର ପ୍ୟାନେଲ ଇନଷ୍ଟଲ କରି ସେଥିରୁ ଉତ୍ପନ୍ନ ଶକ୍ତି ଖର୍ଚ୍ଚ ହେବ । ଘରେ ବଗିଚା ସୃଷ୍ଟି କରିବା ଏକ ସର୍ବୋତ୍ତମ ମାଧ୍ୟମ । ଘର ଭିତରେ ମଧ୍ୟ ସ୍ପାଇଡର ପ୍ଲାଣ୍ଟ, ଆଲୋଭେରା ଭଳି ଅମ୍ଳଜାନ ସୃଷ୍ଟିକାରୀ ଗଛ ଲଗାଇପାରିବା ।