ଆଜି ବିଶ୍ୱ ପିତୃ ଦିବସ ! ଈଶ୍ୱରଙ୍କ ସାକ୍ଷାତ ସ୍ୱରୂପ ବାପା
ଆଜି ସାରା ବିଶ୍ୱ ପାଳୁଛି ବିଶ୍ୱ ପିତୃ ଦିବସ । ବାପାଙ୍କ ତ୍ୟାଗକୁ ମନେ ପକାଇ ଆଜି ଦିନଟି ସ୍ମରଣୀୟ । ପ୍ରତିବର୍ଷ ଜୁନ ମାସ ତୃତୀୟ ରବିବାର ଏହି ଦିବସ ପାଳିତ ହୋଇଥାଏ ।
“ପିତା ଧର୍ମ ପିତା କର୍ମ
ପିତା ହିଁ ପରମ ତପ
ପିତାରେ ପ୍ରିତିମା ପନ୍ନେ
ପ୍ରିୟନ୍ତି ସର୍ବ ଦେବତା।“
ଶ୍ଲୋକଟି ଶୁଣିବାକୁ କାନକୁ ଯେପରି ସୁମଧୁର ଲାଗୁଛି। ଏହାର ଯର୍ଥାତ ମଧ୍ୟ ସେଭଳି ଖୁବ ମହତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ। ଏହାର ଅର୍ଥାନୁଯାୟୀ ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ପ୍ରଭୁ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି। ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ। ଶିଶୁଟି ମଧ୍ୟରେ ଭଗବାନ ପ୍ରାଣ ସଂଚାର କରିଥାଆନ୍ତି , ପ୍ରତ୍ୟେକ ସନ୍ତାନ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ମାତ୍ର ସେ ନିଜର ସମସ୍ତ ପିଲାଙ୍କ ନିକଟରେ ସମସ୍ତ ସ୍ଥାନରେ ଓ ସମୟରେ ରହି ତାଙ୍କର ଟିକିନିକି କଥା ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ପ୍ରତି ପିଲାଙ୍କୁ ପିତାମାତା ସ୍ୱରୂପ ଉପହାର ଦେଇଥାଆନ୍ତି। ଯେଉଁପ୍ରକାରେ ସାରା ଦୁନିଆରେ ମା’ଙ୍କୁ ସମ୍ମାନ ଦେବା ପାଇଁ ମାତୃ ଦିବସ (ମଦର୍ସ ଡ଼େ) ପାଳନ କରାଯାଏ, ସେଭଳି ପିତାଙ୍କ ସମ୍ମାନ ଜ୍ଞାପନ କରିବା ପାଇଁ ପିତୃ ଦିବସ ପାଳନ କରାଯାଏ।
ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହୋଇଥାଏ। କିଛି ପିଲା ଏହି ଦିନ ନିଜ ପିତାଙ୍କୁ ବିଭିନ୍ନ ଉପହାର ଦେବା ସହ ତାଙ୍କ ପିତାଙ୍କ ପାଇଁ ହସଖୁସି ଭରା ଅନୁଭୂତି ପ୍ରଦାନ କରିବା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଉପାୟରେ ମଧ୍ୟ ପାଳନ କରନ୍ତି। କିଛି ପିଲାମାନେ ଏହି ଦିନ ନିଜ ପିତାଙ୍କ ସହ ସମୟ ଅତିବାହିତ କରିବା ପାଇଁ ବାହାରକୁ ବୁଲିବା ପାଇଁ ମଧ୍ୟ ଯାଆନ୍ତି। ପ୍ରତ୍ୟେକ ପିଲାଙ୍କ ପାଇଁ ଏ ପୃଥିବୀ ପୃଷ୍ଠରେ ପିତା ହେଉଛନ୍ତି ସାକ୍ଷାତ ଈଶ୍ୱରଙ୍କ ରୂପ। ଯେ କି ନିଜ ସନ୍ତାନକୁ ସୁଖ ଓ ଶାନ୍ତି ଦେବା ପାଇଁ କେବେ ମଧ୍ୟ ଭୁଲି ନଥାଆନ୍ତି। ନିଜ ପିଲାଙ୍କ ପାଇଁ ସେ ଦିନ ରାତି ପରିଶ୍ରମ କରିଥାଆନ୍ତି। ଯେପରି ତାଙ୍କ ସନ୍ତାନକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ୁ। ନିଜ ସନ୍ତାନଙ୍କ ପାଇଁ ସର୍ବଦା ବଳିଦାନ ଦେବା ହିଁ ତାଙ୍କର ମନୋବୃତି। ଏହି ସମସ୍ତ ମହତ ଗୁଣ ପାଇଁ ପିତା ସାରା ଦୁନିଆରେ ମହତ୍ୱପୂର୍ଣ୍ଣ ଅଟନ୍ତି।
ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତିର ପରିଚୟ ଦେଇଥାନ୍ତି ।