ଆଜି ବିଶ୍ବ ହସ୍ତୀ ଦିବସ – ହାତୀ ପାଇଁ ଦିନଟିଏ
ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୨ରୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ’ ରୂପେ ପାଳନ କରାଯାଉଛି। ମଣିଷ ତା’ର ସ୍ବାର୍ଥ ପାଇଁ କଳକାରଖାନା ଗଢିବା ଉଦ୍ଦେଶ୍ୟରେ କିମ୍ବା ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଜଙ୍ଗଲ ସଫା କରି ଚାଲିଛି। ଏହାର ଫଳ ସ୍ବରୂପ ଜଙ୍ଗଲରେ ରହୁଥିବା ହାତୀମାନେ ଏବେ ସହରମୁହାଁ । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢେଇ ଦେଖାଯାଉଛି। ଏକଦା ମଣିଷ ସମାଜର ଏକ ଉତ୍ତମ ବନ୍ଧୁ ରହି ଆସିଥିବା ହାତୀ ବର୍ତ୍ତମାନ ଶତ୍ରୁ ପ୍ରାୟ ପାଲଟିଯାଇଛି। କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ କ୍ଷତିଗ୍ରସ୍ତ ହେଉଛି ଗରିବ ଚାଷୀର ଭାତ ହାଣ୍ଡି।
ଦିନ ଥିଲା ଓଡ଼ିଶା ହାତୀଙ୍କ ଭୂସ୍ବର୍ଗ କୁହାଯାଉଥିଲା । ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ବି ମୃତ୍ୟୁସଂଖ୍ୟା ବି ବଢୁଛି । କେତେବେଳେ ଟ୍ରେନ ଧକ୍କାରେ ତ କେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ହାତୀଙ୍କ ଜୀବନ ଯାଉଛି । ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୧୦ ମଧ୍ୟରେ ୪୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ହାତୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୨ ହାତୀ ଗଣନାରେ, ରାଜ୍ୟରେ ହାତୀସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଥିଲା। ତେବେ ରାଜ୍ୟରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହେଉଛି। ହାତୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ରହିଛି। କିନ୍ତୁ ଏଥିରେ ସରକାର ଫେଲ୍ ମାରୁଛନ୍ତି। ତେଣୁ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ହାତୀ ଶିକାର ବୃଦ୍ଧି ପାଉଥିବାବେଳେ ଆଉ କେଉଁଠି ବିଦ୍ୟୁତ୍ ତାର ଓ ଟ୍ରେନ୍ ଧକ୍କା ଜୀବନ ନେଉଛି। ସେହିଭଳି ଚଳିତବର୍ଷର ପ୍ରଥମ ତିନି ମାସରେ ହାତୀ ଆକ୍ରମଣରେ ରାଜ୍ୟରେ ୫୭ ଜଣଙ୍କର ଜୀବନ ଯାଇଛି । ସାଧାରଣତଃ ଗୋଟିଏ ହାତୀ ଦିନକୁ ଗୋଟିଏ କ୍ବିଣ୍ଟାଲରୁ ଦେଢ଼ କ୍ବିଣ୍ଟାଲ ଖାଦ୍ୟ ଆବଶ୍ୟକତା କରିଥାଏ । ଦୁଇ ଶହରୁ ୨୫୦ ଲିଟର ପାଣି ପିଇଥାଏ । କିନ୍ତୁ ଏବେ ଜଙ୍ଗଲ କ୍ଷୟ ଯୋଗୁ ସେମାନଙ୍କୁ ଆବଶ୍ୟକ ପରିମାଣର ଆଉ ଖାଦ୍ୟ ମିଳୁ ନାହିଁ । ଫଳରେ ଜଙ୍ଗଲ ଛାଡି ସେମାନେ ଜନବସଚତି ମୁହାଁ ହେଉଛନ୍ତି ।
ଜଙ୍ଗଲରେ ଖାଦ୍ୟାଭାବ ସାଙ୍ଗକୁ ଏପ୍ରିଲ୍, ମେ ଏବଂ ଜୁନ୍ ମାସରେ ରାଜ୍ୟରେ ଉତ୍ପାଦନ ହେଉଥିବା ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ପ୍ରାଣ ହରାଇଥିବା ୫୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ପ୍ରାଣ ଆମ୍ବ ବଗିଚାରେ ଯାଇଥିବା ବେଳେ ୩ ଜଣ କାଜୁ ବଗିଚା, ୭ ଜଣ ବାହାରକୁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି। ସେହିପରି ୭ ଟି ଗାଁରେ ବୁଲୁଥିବା ସମୟରେ ପ୍ରାଣ ହରାଇବା ସହିତ ୩ ଜଣ ନିଜ ଫସଲ କ୍ଷେତରେ ଏବଂ ଜଙ୍ଗଲକୁ କାଠ, କେନ୍ଦୁ, ଶାଳପତ୍ର ସଂଗ୍ରହ, ମହୂଲ ଫୁଲ ଓ ଛତୁ ସଂଗ୍ରହ ପାଇଁ ଯାଇ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ବର୍ଷ ରାଜ୍ୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମ ୩ ମାସରେ ଏହି ସଂଖ୍ୟା ୫୭ରେ ପହଞ୍ଚିଯାଇଛି।
ଡ଼ିଆ ସଂସ୍କୃତି ପରମ୍ପରାରେ ହାତୀର ସ୍ଥାନ ସ୍ବତନ୍ତ୍ର। ହାତୀକୁ ଓଡ଼ିଆରେ ‘‘ଗଜ’’ ଏବଂ ‘‘ଗଜରାଜ’’ ବୋଲି କୁହନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ହାତୀ ବା ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ପ୍ରମୁଖ ପର୍ବ ରଜରେ ଗାଁରୁ ସହର ସବୁଠି ଝିଅମାନେ ଦୋଳିରେ ଝୁଲି ଗୀତ ଗାଇଥାନ୍ତି ‘ବନସ୍ତେ ଡାକିଲା ଗଜ’ । ଆଜି କିନ୍ତୁ ଓଡ଼ିଶା ପ୍ରସିଦ୍ଧ ହାତୀ ଅପମୃତ୍ୟୁ ପାଇଁ । କେତେବେଳେ ଟ୍ରେନ ଚକ ତଳେ ତ କେତେବେଳେ ବିଦ୍ୟୁତ୍ ତାର ତଳେ ତ ଆଉ କେତେବେଳେ ହାତୀ ଦାନ୍ତ ପାଇଁ ଚାଲିଯାଉଛି ଏମାନଙ୍କ ଜୀବନ ଅକାଳରେ । ଜଙ୍ଗଲ କ୍ଷୟ, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପ୍ରାଦ୍ୟୁଭାବ, ଆଉ ହାତୀ ମଣିଷର ବିବାଦ ଏହାର ମୁଖ୍ୟ କାରଣ ।
ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ , ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ ମତ ଦିଅନ୍ତି। ବିଶ୍ବ ହସ୍ତୀ ଦିବସ ଅବସରରେ ଓଡ଼ିଶାର ପୂର୍ବ ହୃତଗୌରବ ଏହି ହସ୍ତୀଙ୍କ ପରିଚୟ ଫେରାଇ ଆଣିବା ସମସ୍ତଙ୍କର ଲକ୍ଷ୍ୟହେବା ଉଚିତ୍ । ଭୁବନେଶ୍ବରସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିବର୍ଷ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଏ। ନନ୍ଦନକାନନରେ ଥିବା ହାତୀମାନଙ୍କୁ ଗାଧୋଇପାଧୋଇ ବିଭିନ୍ନ ସୁସ୍ବାଦୁ ଫଳ ଖାଇବାକୁ ଦିଆଯାଏ। ବିଶ୍ବ ହସ୍ତୀ ଦିବସ ଅବସରରେ ନନ୍ଦନକାନନ ପରିସରରେ ହାତୀ ସୁରକ୍ଷା ବାର୍ତ୍ତାକୁ ନେଇ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଏ।