ଆଜି ଉତ୍କଳ ଦିବସ ବା ଓଡ଼ିଶା ଦିବସ : ଜାଣନ୍ତୁ କାହିଁକି ପାଳନ ହୁଏ ଓ କ’ଣ ରହିଛି ଇତିହାସ
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ’ ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
ଚଳିତବର୍ଷ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୁରିବ ୮୮ ବର୍ଷ । ତେବେ ଭାଷା ଭିତରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଭାରତର ପ୍ରଥମ ରାଜ୍ୟ ହେଉଛି ଓଡିଶା । ତାଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ । ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଂଚଳ । କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ ।
ଏହି ଦିନଟି ଓଡିଶା ତଥା ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡିଶାର ନବଜାଗରଣ ପର୍ବର ଚୂଡାନ୍ତ ଫଳଶ୍ରୁତି । ଯେଉଁ ମାନଙ୍କର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଓଡିଆ ଜାତି, ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସୁସଂଗଠିତ । ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ସ୍ୱଭାବକବି ଗଙ୍ଗାଧର, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ପଣ୍ଡିତ ନୀଳକଣ୍ଠ, ହରିହର ମର୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବ ପ୍ରମୁଖ ଅଗ୍ରପୂଜ୍ୟ ।
କାହିଁକି ପାଳନ ହୁଏ :
ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଏହି ଦିନରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ତେବେ ଏହି ରାଜ୍ୟ ହେଉଛି ପ୍ରଥମ ରାଜ୍ୟ ଯାହା ନିଜ ଭାଷା ପାଇଁ ପରିଚିତ ହୋଇଥିଲା । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ହେଉଛି କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ । ତେବେ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡ଼ିଆ । ଅନେକ ସ୍ଥାନରେ ଏହାକୁ ପାଳନ କରିବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇତାଏ । ଓଡିଆ ମାଟିର ଗର୍ବ ଏବଂ ଗୌରବ ବଢାଇବା ଭଳି ଅନେକ ଖେଳ ଏବଂ ଖାଦ୍ୟ ପ୍ରସ୍ତୁତ କରି ‘ଉତ୍କଳ ଦିବସ’ ପାଳନ କରିଥାନ୍ତି ଓଡିଶା ବାସୀ ।
ଇତିହାସ :
ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନକରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ ।