ଆଇପିଏଲ-୨୦୨୧ : ଆଜି ସୁପର୍ କିଙ୍ଗ୍ସ-କିଙ୍ଗ୍ସ ମୁକାବିଲା
ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଶୁକ୍ରବାର ଅଷ୍ଟମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଏଥିରେ ଉଭୟ ଦଳ ନିଜ ନିଜର ଦ୍ଵିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍ସ ଏବଂ ବର୍ତ୍ତମାନର ଦିନିକିଆ ୱିକେଟ ରକ୍ଷକ ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି। ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନିଙ୍କ ସୁପରକିଙ୍ଗ୍ସ ବିଜୟ ଖାତା ଖୋଲିବାକୁ ବ୍ୟଗ୍ର ଥିବାବେଳେ ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ଦୁର୍ଦ୍ଦଷ ପଞ୍ଜାବ କିଙ୍ଗ୍ସ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛି । ଫଳରେ ଏହି ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଛି । ଆଇପିଏଲ୍ ଇତିହାସରେ ଉଭୟ ଦଳ ୨୪ ଥର ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବ ୯ ଏବଂ ଚେନ୍ନାଇ ୧୫ ଜିତିଛନ୍ତି। ନିରପେକ୍ଷ ଭେନ୍ୟୁ ବେଳକୁ ମଧ୍ୟ ଚେନ୍ନାଇର ଦବ୍ଦବା ରହିଛି। ୧୨ ମୁକାବିଲାରୁ ୮-୪ରେ ଆଗୁଆ ରହିଛି ଧୋନିଙ୍କ ଦଳ। ସେହିପରି ୱାଙ୍ଖଡେ ପିଚ୍ ଚଳିତ ବର୍ଷ ବ୍ୟାଟ୍ସମ୍ୟାନ୍ଙ୍କ ଭୂସ୍ବର୍ଗ ପାଲଟିଛି। ବୋଲରଙ୍କ ପାଇଁ ବିଶେଷ କିଛି ରହୁନାହିଁ। ପିଚ୍ର ଚରିତ୍ର ବି ଏବେ ଆଉ ବଦଳିବାର ସୁଯୋଗ ନାହିଁ। ଦ୍ଵିତୀୟ ପାଳିରେ ପଶ୍ଚାତଧାବନ କରିବାକୁ ପ୍ରତିଟି ଦଳ ପସନ୍ଦ କରୁଛନ୍ତି। ଏଠାରେ ପ୍ରଥମ ପାଳି ହାରାହାରି ସ୍କୋର୍ ହେଉଛି ୧୮୨ ରନ୍। ଏଠାକାର ଶେଷ ୯ଟି ଆଇପିଏଲ୍ ମ୍ୟାଚ୍ ଉପରେ ନଜର ପକାଇଲେ ପଶ୍ଚାତଧାବନ କରୁଥିବା ଦଳ ୫ଟିରେ ଜିତିଛନ୍ତି। ୩ ଥର ହାରିଛନ୍ତି ଏବଂ ଗୋଟିଏ ଟାଇ ରହିଛି।
ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହେବା ପରେ ସୁପରକିଙ୍ଗ୍ସ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି । ଶୁକ୍ରବାର ପଞ୍ଜାବ କିଙ୍ଗ୍ସକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ବୋଲିଂ ବିଭାଗ ସୁଦୃଢ ହେବା ନିହାତି ଆବଶ୍ୟକ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୭/୧୮୮ ରନ୍ ସଂଗ୍ରହ କରିବା ସତ୍ତେ୍ୱ ସୁପରକିଙ୍ଗ୍ସ ପରାଜିତ ହୋଇଥିଲା । ଦୀପକ ଚହର, ସାମ କୁରାନ, ସର୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା ଓ ମୋଇନ ଅଲିଙ୍କ ଭଳି ବୋଲରମାନେ ମଧ୍ୟ ଦକ୍ଷତା ମୁତାବକ ବୋଲିଂ କରିପାରି ନଥିଲେ । ପଞ୍ଜାବ କିଙ୍ଗ୍ସ ଦଳରେ ରାହୁଲ, ମୟଙ୍କ ଅଗ୍ରୱାଲ୍, କ୍ରିସ ଗେଲ, ନିକୋଲାସ ପୂରନ, ଦୀପକ ହୁଡ଼ାଙ୍କ ଭଳି ବହୁ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଏମାନଙ୍କ ବିପକ୍ଷରେ ସୁପରକିଙ୍ଗସକୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ । ସେହିପରି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୨୨୧ ରନ୍ର ବିଶାଳ ସ୍କୋର ସଂଗ୍ରହ କରିଥିଲା । ତଥାପି ମାତ୍ର ୪ ରନ୍ରେ ବିଜୟ ହାସଲ କରିଥିଲା । ମଧ୍ୟ ଓ ଡେଥ୍ ଓଭର ଗୁଡ଼ିକରେ ପଞ୍ଜାବ କିଙ୍ଗ୍ସ ବୋଲରମାନେ ଲୟ ହରାଇ ବସିଥିଲେ । ଫଳରେ ସଞ୍ଜୁ ସାମସନ ଏହାର ଫାଇଦା ଉଠାଇ ଶତକ ଅର୍ଜନ କରିଥିଲେ । ଉକ୍ତ ବିଜୟ ପଞ୍ଜାବ କିଙ୍ଗ୍ସକୁ ସନ୍ତୁଷ୍ଟ କରିପାରି ନଥିଲା । ସୁପରକିଙ୍ଗ୍ସ ବିପକ୍ଷରେ ବିଜୟୀ ହେବା ପାଇଁ ଦଳର ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ । ଅବଶ୍ୟ ମହମ୍ମଦ ସାମି, ଝେୟ ରିଚାର୍ଡସନ, ରିଲି ମେରେଡିଥ୍ଙ୍କ ଭଳି ବୋଲର ପଞ୍ଜାବ କିଙ୍ଗ୍ସ ଦଳରେ ରହିଛନ୍ତି । ତଥାପି ଏମାନଙ୍କୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ । ଶୁକ୍ରବାର ପଞ୍ଜାବ କିଙ୍ଗ୍ସ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ମେରିଡିଥ୍ଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନଙ୍କୁ ସୁଯୋଗ ମିଳିପାରେ । ସେହିପରି ମୁରୁଗାନ ଅଶ୍ୱିନଙ୍କ ସ୍ଥାନରେ ରବି ବିଷ୍ନୋଇ ଖେଳିବା ଆଶା କରାଯାଉଛି । ସୁପରକିଙ୍ଗ୍ସ ଏକାଦଶ ଅପରିବର୍ତ୍ତିତ ରଖିବ । ୱାଙ୍ଖଡେରେ କାକର ପ୍ରଭାବ ରହୁଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।
ପଞ୍ଜାବ କିଙ୍ଗ୍ସ ଦଳ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍, ଶହାରୁଖ୍ ଖାନ୍, ରିଲି ମେରେଡିଥ୍, ମୋଜେସ ହେନରିକ୍ସ, ଜଲଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ, ସୌରଭ କୁମାର।