ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଜାଣନ୍ତୁ ମୋହାଲିରେ କାହା ପଲ୍ଲା ଭାରୀ ? କଣ ରହିଛି ପିଚ ରିପୋର୍ଟ
ନୂଆଦିଲ୍ଲୀ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ୱାନ୍ ଡେ ସିରିଜ୍ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା । ଆଉ ଯେଉଁ ଦଳ ସହ ଭାରତ ଅକ୍ଟୋବର ୮ ତାରିଖରେ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ସେହି ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଶୁକ୍ରବାର ଠାରୁ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳି ରିହରସଲ୍ କରିବ। ଶୁକ୍ରବାର ମୋହାଲିରେ ଖେଳାଯିବ ପ୍ରଥମ ଦିନିକିଆ ।
ମୋହାଲିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍ର ରେକର୍ଡ ଖୁବ୍ ଭଲ ନାହିଁ । ଆଜି ଯାଏଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ମୋହାଲିରେ ଦିନିକିଆ ଫର୍ମାଟରେ ପରାସ୍ତ କରି ନାହିଁ । ଏହି ଷ୍ଟାଡିୟମ୍ରେ ଦିନିକିଆ ଫର୍ମାଟରେ ପ୍ରତି ଥର କଙ୍ଗାରୁ ଟିମ୍ ଭାରତୀୟ ଟିମ୍ ଚକ୍ମା ଦେଇଥାଏ । ଅନ୍ୟପଟେ ମୋହାଲୀରେ ପିଚ୍ରେ ନିଜ ପୁରୁଣା ରେକର୍ଡକୁ ସୁଧାରିବାକୁ ଚେଷ୍ଟ କରିବା ଟିମ୍ ଇଣ୍ଡିଆ । କିନ୍ତୁ ଭାରତୀୟ ଟିମ୍ ପାଇଁ ଏହି ରାସ୍ତା ଏତେ ସହଜ ହେବନାହିଁ ।ତେଣୁ ଅପେକ୍ଷା ରହିଲା କି ମୋହାଲୀରେ ଭାରତୀୟ ଦଳ ଅଷ୍ଟେ୍ରଲିଆକୁ ହରାଇବାକୁ କେତେ ସକ୍ଷମ ହେଉଛି।
ଅନ୍ୟପକ୍ଷରେ ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେରଲିଆର ପଲ୍ଲା ଭାରି ରହିଛି । ଏବେ ଯାଏଁ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଦିନିକିଆ ଫର୍ମାଟରେ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୮୨ ମ୍ୟାଚରେ ହରାଇଛି । ଯାହାକି ଭାରତୀୟ ଟିମକୁ ପ୍ରାୟ ୫୪ଥର ସଫଳତା ହାସଲ ହୋଇଛି । ଏହାବ୍ୟତୀତ ଭାରତ ମାଟିରେ ଭାରତ ଏବଂ ଅଷ୍ଟ୍ରେଲିଆର ୬୭ଥର ସାମ୍ନାସାମ୍ନି ହୋଇଛନ୍ତି । ଅଷ୍ଟ୍ରେଲିଆ ଭାରତକୁ ୩୨ଥର ହରାଇଛି । ଭାରତୀୟ ଦଳ ନିଜ ମାଟିରେ ଅଷ୍ଟ୍ରେଲିଆକୁ ୩୦ ଥର ହରାଇବାରେ ସଫଳ ହୋଇଛି ।
ପିଚ୍ : ବିଗତ ୪ ବର୍ଷ ହେବ ମୋହାଲିରେ ଦିନିକିଆ ମ୍ୟାଚ୍ ଖେଳାଯାଇନାହିଁ। ଭାରତରେ କ୍ରିକେଟ୍ ଋତୁ ଆରମ୍ଭ ହୋଇନଥିବାରୁ ମୋହାଲି ପିଚ୍ ବିଶେଷ ଖରାପ ହୋଇନଥିବ। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ ବେଳେ ଏଠାରେ ପ୍ରଚୁର ରନ୍ ହେଉଥିଲା। ଶୁକ୍ରବାର ପାଇଁ ମଧ୍ୟ ପାଗ ଗରମ ଓ ଶୁଷ୍କ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଶେଷ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ୨୦୧୯ରେ ଏଠାରେ ଖେଳିଥିବା ବେଳେ ପିଟର୍ ହ୍ୟାଣ୍ଡସ୍କମ୍ବ, ଉସମାନ ଖୱାଜା, ଆଷ୍ଟନ୍ ଟର୍ଣ୍ଣରଙ୍କ ବଳରେ ଭ୍ରମଣକାରୀ ଦଳ ୩୫୯ ରନ୍କୁ ପଶ୍ଚାତଧାବନ କରି ରେକର୍ଡ ପ୍ରତିଷ୍ଠା କରିଥିଲା।
ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍ ଖେଳୁଛି। ଭାରତୀୟ ଦଳ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଏବେ ବେଞ୍ଚ୍ ଷ୍ଟ୍ରେଙ୍ଗ୍ଥ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିଛି। ବିଶ୍ବକପ୍ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ ଗୋଟିଏ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଦୁଇ ମୁମ୍ବାଇ ବ୍ୟାଟର୍ ଶ୍ରେୟସ ଆୟର୍ ଏବଂ ସୂର୍ଯ୍ୟକୁମାର ଯାଦବ ଆଶା ରଖିଛନ୍ତି। ସଦ୍ୟ ଏସିଆ କପ୍ ଜିତିଥିବା ଭାରତ ଆତ୍ମବିଶ୍ବାସରେ ରହିଛି। ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଭେଟେରାନ୍ ଆର୍ ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ ସୁଯୋଗ ଆଣିଛି। ରୋହିତଙ୍କ ଅନୁପସ୍ଥିତିରେ କିନ୍ତୁ ଈଶାନ କିଶନ ଓ ଶୁବମନ ଗିଲ୍ଙ୍କୁ ଏକାଠି ଖେଳିବାର ମଧ୍ୟ ଆଉ ଏକ ସୁଯୋଗ ଦେଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ ଆୟର କେତେ ଫାଇଦା ଉଠାଇବେ ମଧ୍ୟ ଦେଖିବାକୁ ପଡ଼ିବ। ବୋଲିଂରେ କିନ୍ତୁ କାର୍ଯ୍ୟଭାର ସମ୍ଭାଳିବାକୁ ପଡ଼ିବ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କୁ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଶେଷ ୩ ମ୍ୟାଚ୍ରେ ପରାଜୟ ସହିତ ଅଷ୍ଟ୍ରେଲିଆ ୨-୩ରେ ଶୃଙ୍ଖଳା ହାରି ଭାରତ ଆସିଛି। କିନ୍ତୁ ଆହତ ତାଲିକାରୁ ଫିଟ୍ ହୋଇ ଫେରିଥିବା ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲବୁସାନ୍ ନିଶ୍ଚୟ ଦଳର ମନୋବଳ ବଢ଼ାଇଛନ୍ତି। ସେହିପରି ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଏ ପର୍ଯ୍ୟନ୍ତ ଆଘାତଜନିତ ସମସ୍ୟାରୁ ମୁକୁଳି ପାରି ନଥିବାରୁ ପ୍ରଥମ ଦିନିକିଆ ଖେଳିବେ ନାହିଁ। ପାଟ୍ କମିନ୍ସ ସଂପୂର୍ଣ୍ଣ ଫିଟ୍ ହୋଇ ପ୍ରଥମ ଦିନିକିଆରେ ଦଳର ନେତୃତ୍ଵ ନେଉଛନ୍ତି। ତାରକା ବ୍ୟାଟର ଷ୍ଟିଭ୍ ସ୍ମିଥ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜରିଆରେ ବିଶ୍ଵକପ୍ ୨୦୨୩ର ପ୍ରସ୍ତୁତି ଆରମ୍ଭ କରିବେ।
ଭାରତ ସମ୍ଭାବ୍ୟ ଏକାଦଶ: ଈଶାନ କିଶନ, ଶୁବମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍ ଅଶ୍ବିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍ ଜନ୍ସନ୍/ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।