ଆଜି ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ
ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ବୁଧବାର ଖେଳାଯିବ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ ।
ପ୍ରଥମ ଦିନିକିଆ ଜିତିଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୦୦୦ ତମ ମୁକାବିଲାରେ ଇଣ୍ଡିଜକୁ ୬ ୱିକେଟରେ ହରାଇଥିଲା । ରୋହିତ ଏହି ମ୍ୟାଚରେ ଜବରଦସ୍ତ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ । ତେବେ ଦ୍ୱିତୀୟ ଦିନିକିଆରେ ଦଳରେ କୌଣସି ପରିବର୍ତନ ହେବା ସମ୍ଭାବନା କମ୍ ରହିଛି । ଶିଖର ଧାୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ପାଇଁ ଓହ୍ଲାଇ ପାରନ୍ତି । ସେହିପରି ବୋଲିଂ ବିଭାଗରେ ଦଳ ସେତେଟା ପରିବର୍ତନ କରିନପାରେ । ଦ୍ୱିତୀୟ ମୁକାବିଲା ଜିତି ସିରିଜକୁ ସମାନ ସ୍ତରକୁ ଆଣିବାକୁ ପ୍ରୟାସ କରିବ କାରବିୟାନ୍ ଟିମ୍ । ଦଳର ବ୍ୟାଟିଂ ଓ ବୋଲିଂ ଫେଲ୍ ମାରିଥିଲା । ଟପ୍ ଓ ମିଡିଲ୍ ଅର୍ଡର ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଏହା ଉପରେ ଇଣ୍ଡିଜ୍ ଅଧିକ ଧ୍ୟାନ ଦେଇପାରେ । ଦଳରେ ସାମାନ୍ୟ ପରିବର୍ତନ ହୋଇପାରେ ବୋଲି ଆଭାସ ମିଳୁଛି ।
ତେବେ ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳ ପାଇଁ ଭଲ ଖବର ରହିଛି । ଟିମ୍ ଇଣ୍ଡିଆର ଉପଅଧିନାୟକ ଲୋକେସ୍ ରାହୁଲ ଏବଂ ଓପନର ମୟଙ୍କ ଅଗ୍ରୱାଲ ଫିଟ୍ ହୋଇଯାଇଛନ୍ତି ଏବଂ ଦଳ ସହିତ ସାମିଲ ହୋଇଛନ୍ତି । ଉଭୟ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ବଡ କଥା ହେଉଛି ଦ୍ୱିତୀୟ ଦିନିକିଆରେ ଭାରତର ପ୍ଲେଇଂ ଇଲେଭେନ୍ କିଭଳି ରହିବ । ଲୋକେସ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଉଭୟ ଫିଟ୍ ଥିବା ବେଳେ ରୋହିତ ଶର୍ମାଙ୍କ ସହିତ କିଏ କରିବ ଓପନିଂ ସେ ନେଇ ସସ୍ପେନ୍ସ ଲାଗିରହିଛି । ଉଭୟ ଖେଳାଳି ନିଜ ନିଜ ହିସାବରେ ଚମତ୍କାର ବ୍ୟାଟର୍ । ଏବେ ରାହୁଲ ଏବଂ ମୟଙ୍କ ସୁସ୍ଥ ହୋଇଯିବା ପରେ ଭାରତ ପାଖରେ ଏକାଧିକ ଅପସନ୍ ମଧ୍ୟ ରହିଛି । ଶିଖର ଧାୱନ ଏବେ କରୋନା ସଂକ୍ରମିତ ହୋଇ ଆଇସୋଲେସନ୍ରେ ରହିଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ପୂର୍ବରୁ ମଧ୍ୟ ରୋହିତ-ରାହୁଲ ଓପନିଂ ଯୋଡି ନଜର ଆସିଛନ୍ତି । ଦ୍ୱିତୀୟ ଦିନିକିଆରେ ମଧ୍ୟ ରାହୁଲ ଓପିନଂ କରିବା ସମ୍ଭାବନା ଅଧିକ । କିନ୍ତୁ ଯଦି ଦଳ ବାମହାତୀ ଏବଂ ଡାହାଣହାତୀ ବ୍ୟାଟର୍ଙ୍କୁ ନେଇ ଖେଳିବାକୁ ଚାହିଁବ ତେବେ ଇଶାନ କିସାନଙ୍କୁ ସୁଯୋଗ ମିଳିବା ଆପାତତ୍ ସ୍ପଷ୍ଟ । ଅନ୍ୟପଟେ ରାହୁଲ ଦଳରେ ସାମିଲ ହେଲେ ତାଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ କରିବାକୁ ପଡିପାରେ । ପୂର୍ବରୁ ମଧ୍ୟ ସେ ମଧ୍ୟ କ୍ରମରେ ନିଜକୁ ପ୍ରମାଣିତ କରିସାରିଛନ୍ତି । ଧାୱନ ଫେରିବା ପରେ ସେ ରୋହିତଙ୍କ ସହ ଓପନିଂ କରିବା ପ୍ରାୟ ସ୍ପଷ୍ଟ । ଏଥିପାଇଁ ରାହୁଲ ମିଡିଲ୍ ଅର୍ଡର ପାଇଁ ପ୍ରସ୍ତୁତ ହୋଇପାରନ୍ତି । ପୂର୍ବରୁ ରୋହିତ କହିସାରିଛନ୍ତି ଯେ, ସମସ୍ତଙ୍କୁ ସୁଯୋଗ ମିଳିବ । ପ୍ରଥମ ମ୍ୟାଚ୍ରେ ଦୀପକ ହୁଡ୍ଡାଙ୍କୁ ଡେବ୍ୟକୁ କରିବାର ସୁଯୋଗ ମିଳିଥିଲା । ସେ ଭଲ ବୋଲିଂ ମଧ୍ୟ କରିଥିଲେ । ତେଣୁ ଦ୍ୱିତୀୟ ମ୍ୟାଚରେ ଦଳ ତାଙ୍କୁ ପ୍ଲେଇଂ ଇଲେଭେନ୍ରେ ରଖିବାକୁ ଚାହିଁବ । କେବଳ ରାହୁଲ ଖେଳିଲେ ଜଣଙ୍କୁ ବାହାରେ ରହିବାକୁ ପଡିବ ।