ଆଜି ହକି ବିଶ୍ୱକପ ଉଦ୍ଘାଟନୀ ସମାରୋହ : ଦୁଲୁକିବ ବାରବାଟୀ, ୨ଟାରୁ ଷ୍ଟାଡିୟମ ପ୍ରବେଶ
ମୁଖ୍ୟ ଆକର୍ଷଣ ରଣବୀର ସିଂ ଓ ଦିଶା ପଟ୍ଟାନୀ, ପ୍ରୀତମଙ୍କ ମ୍ୟୁଜିକ୍ରେ ଝୁମିବେ ଦର୍ଶକ
କଟକ : ଆଜି ହକି ବିଶ୍ୱକପ ଉଦ୍ଘାଟନୀ ସମାରୋହ । ଦୁଲୁକିବ କଟକ ବାରବାଟୀ ଷ୍ଟାଡିୟମ । ଉତ୍ସବ ପାଇଁ ବ୍ୟାପକ ଆୟୋଜନ ହୋଇଛି । ଭବ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରୁଷ ହକି ବିଶ୍ବକପ୍ ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା ବିଶ୍ଵ । ଉଦ୍ଘାଟନୀ ଉତ୍ସବ ବୁଧବାର ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୯ଟା ଯାଏ ଚାଲିବ । ଏଥିପାଇଁ ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ କରିପାରିବେ ।
ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍ଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟ, ବିଧାୟକ, ପ୍ରଶାସକ, ବରିଷ୍ଠ କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ ଏବଂ ବିଭିନ୍ନ ଦେଶର ହକି ଖେଳାଳି ଏହି ଉତ୍ସବରେ ସାମିଲ ହେବେ । ଏହି ଉଦ୍ଘାଟନୀ ଉତ୍ସବ ଷ୍ଟାର ସ୍ପୋର୍ଟ୍ସ ଫାର୍ଷ୍ଟ, ଷ୍ଟାର ସ୍ପୋର୍ଟ୍ସ ସିଲେକ୍ଟ-୨, ଷ୍ଟାର ସ୍ପୋର୍ଟ୍ସ ସିଲେକ୍ଟ-୨ ଏଚ୍ଡ ସହ ମୋବାଇଲ୍ରେ ଡିଜନୀ ହଟ୍ଷ୍ଟାରରେ ପ୍ରସାରିତ ହେବ।
ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର ଆଇକନ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ରେ ଝୁମିବେ ଦର୍ଶକ। ସେହିପରି ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ । କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ ।
ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟପଦାର୍ଥ, ପାଣି ବୋତଲ କିମ୍ବା ଖୁଚୁରା ପଇସା ନେଇପାରିବେ ନାହିଁ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବାରବାଟୀ ଷ୍ଟାଡିୟମ । ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସପି ସ୍ତରୀୟ ଅଧିକାରୀ, ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ ୩୦୦ ଜଣ ଏସଆଇଙ୍କ ସହିତ ୩୦୦ରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ ।
ପୁରଷ ବିଶ୍ବକପ୍ ହକିର ଉଦ୍ଘାଟନ କାର୍ଯ୍ୟକ୍ରମ ୧୧ ଜାନୁଆରୀ, ୨୦୨୩ ସନ୍ଧ୍ୟା ୬ଟାରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନ ଉତ୍ସବରେ ବଲିଉଡ ଏବଂ ଓଡିଶାର ପ୍ରସିଦ୍ଧ କଳାକାର ମାନେ ପରିବେଷଣ କରିବେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ। #RanveerSingh #DishaPatani#HWC2023 #HockeyWorldCup2023 pic.twitter.com/oUfCkGG9ML
— I & PR Department, Odisha (@IPR_Odisha) January 10, 2023
ହକି ମହାକୁମ୍ଭ ଉଦଘାଟନ ନେଇ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ସୁନୀଲ ବଂଶଲ। ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ଆମ ପାଇଁ ମହତ୍ୟପୂର୍ଣ୍ଣ ବୋଲି କହିଛନ୍ତି ଡିଜିପି । ବାରବାଟୀ ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ। ଭୁବନେଶ୍ୱର ରାଉରକେଲାରେ ମଧ୍ୟ ଅନୁରୂପ ସୁରକ୍ଷା ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଅତିଥି ଦର୍ଶକ ମାନେ କିପରି ସୃଙ୍ଖଳିତ ଭାବରେ ମ୍ୟାଚ୍ ଉପଭୋଗ କରି ଜିବେ ସେନେଇ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।