ଆଜି ନୂଆ ବର୍ଷ! ବଦଳିବ ଏହି ସବୁ ନିୟମ, ଜାଣିନିଅନ୍ତୁ ନହେଲେ ଅସୁବିଧାରେ ପଡ଼ିପାରନ୍ତି
ଭୁବନେଶ୍ୱର : ଆଜି ନୂଆ ବର୍ଷ । ଆଜିଠୁ ବଦଳିଯିବ ଅନେକ ନିୟମ। ଏଣିକି ଏଟିଏମରୁ ଟଙ୍କା କାଢ଼ିବା ହେବ ମହଙ୍ଗା । ଅନଲାଇନ୍ ରେ ଖାଇବା ମଗାଇଲେ ଆପଣଙ୍କୁ ଅଧିକ ଚାର୍ଜ ଲାଗିପାରେ । ସେହିଭଳି ଅନଲାଇନ୍ ରେ ଗାଡ଼ି ବୁକିଂ କରିବା ମଧ୍ୟ ମହଙ୍ଗା ହେବ । ବ୍ୟାଙ୍କ ଲକରରୁ ସାମଗ୍ରୀ ଗାଏବ ହୋଇଗଲେ ବ୍ୟାଙ୍କ ଗୁଡ଼ିକ ଆଉ ମୁଣ୍ଡରୁ ଦୋଷ ଖସାଇ ପାରିବେନି ବରଂ ପେନାଲଟି ଦେବାକୁ ବାଧ୍ୟ ହେବେ । ଏମିତି ଅନେକ ନିୟମ ବଦଳିଯିବ ଯାହା ଆପଣଙ୍କୁ ପ୍ରଭାବିତ କରିବ ।
ନୂଆ ବର୍ଷରୁ ଓଡିଶା ପରିବହନ ବିଭାଗର ନୂଆ ନିୟମ । ରାଜ୍ୟ ପରିବହନ ବିଭାଗରେ ଏଣିକି ନୋ ଅଫଲାଇନ, ଓନଲି ଅନ ଲାଇନ । ଅର୍ଥାତ୍ ଡ଼ିଏଲ ଠୁ ଆରମ୍ଭ କରି ଗାଡି ପରିମିଟ୍ – ସବୁ କିଛି ଏଣିକି ଅନଲାଇନରେ ହେବ । ଅଫ୍ ଲାଇନ୍ ରେ ଅନେକ ଅଭିଯୋଗ ଆସୁଥିଲା । ମିଡ଼ିଲ ମ୍ୟାନ ବା ଦଲାଲଙ୍କ ବଡ ଭୂମିକା ରହୁଥିଲା । ଅନେକାଂଶରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ।
୨୦୨୨ ଜାନୁଆରୀ ୧ତାରିଖରୁ ଅନେକ ନିୟମ ବଦଳି ଯାଉଛି । ଏଣିକି ଏଟିଏମରୁ ଟଙ୍କା କାଢିବା ହେବ ମହଙ୍ଗା । ଏଟିଏମ ବ୍ୟବହାର କରିବା ଲାଗି ଆପଣଙ୍କୁ ଦେବାକୁ ପଡିବ ୫ପ୍ରତିଶତ ଅଧିକ ଚାର୍ଜ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗାଇଡଲାଇନ୍ ଅନୁଯାୟୀ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଣ ପାଇଁ ଆପଣ ଏବେ ୨୦ଟଙ୍କା ଦେଉଥିବା ବେଳେ ଏଣିକି ୨୧ ଟଙ୍କା ସହିତ ଜିଏସଟି ମଧ୍ୟ ଦେବାକୁ ପଡିବ ।
ବ୍ୟାଙ୍କ ଲକରରୁ ଆପଣଙ୍କ ସାମଗ୍ରୀ ଚୋରି ହୋଇଗଲେ କିମ୍ବା ବ୍ୟାଙ୍କ କର୍ମଚାରୀ ହଡପ କରିଦେଲେ ବ୍ୟାଙ୍କମାନେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ପାରିବେନି । ଆରବିଆଇ ଗାଇଡଲାଇନ୍ ଅନୁୟାୟୀ ବ୍ୟାଙ୍କମାନେ ବାର୍ଷିକ ଲକର୍ ଚାର୍ଜର ସର୍ବାଧିକ ଶହେ ଗୁଣା ଦେବାକୁ ବାଧ୍ୟ ହେବେ ।
୧ ଜାନୁଆରୀ ୨୦୨୨ରୁ ଅନେକ ସାମଗ୍ରୀ ଉପରେ ଜିଏସଟି ବଢିବ । କପଡା ଏବଂ ଫୁଟୱେର ମହଙ୍ଗା ହୋଇଯିବ, କାରଣ ଏହା ଉପରେ ଜିଏସଟି ୫ପ୍ରତିଶତରୁ ବଢି ହୋଇଯିବ ୧୨ ପ୍ରତିଶତ । ସେହିଭଳି ଅନଲାଇନ୍ ଆପ୍ ମାଧ୍ୟମରେ ଅଟୋ ରିକସା ଏବଂ ଟାକସି ବୁକିଂ ମଧ୍ୟ ମହଙ୍ଗା, କାରଣ ନୂଆ ବର୍ଷରେ ଏହା ଉପରେ ୫ପ୍ରତିଶତ ଜିଏସଟି ଲାଗୁ ହୋଇଯିବ ।
ନୂଆବର୍ଷରୁ ସ୍ବିଗି ଏବଂ ଜମାଟୋ ଭଳି ଫୁଡ୍ ଡେଲିଭରି କମ୍ପାନୀକୁ ଖାଇବା ଅର୍ଡର ମହଙ୍ଗା ହୋଇପାରେ । ଖାଦ୍ୟ ଉପରେ ୫ପ୍ରତିଶତ ଜିଏସ୍ଟି ବଦଳିବ ନାହିଁ । ତେବେ ଆଗରୁ ଫୁ଼ଡ୍ ଡେଲିଭରୀ କମ୍ପାନୀମାନେ ଜିଏସ୍ଟି ସଂଗ୍ରହ କରି ସଂପୃକ୍ତ ରେଷ୍ଟୁରାଣ୍ଟକୁ ଫେରାଇ ଦେଉଥିଲେ । ଏଣିକି ଫୁ଼ଡ୍ ଡେଲିଭରୀ କମ୍ପାନୀମାନେ ନିଜେ ଜିଏସଟି ହିସାବ ରଖିବେ ଏବଂ ଭରିବେ । ଏଥିପାଇଁ ଯେଉଁ ଅତିରିକ୍ତ ବୋଝ ପଡିବ ତାହା ଗ୍ରାହକଙ୍କ ଉପରେ ଲଦାଯାଇପାରେ ।
ୟୁଏଏନ ସହ ଆଧାର ଲିଙ୍କ ହୋଇନଥିଲେ ଇପିଏଫ୍ ଆକାଉଣ୍ଟରେ ନିଯୁକ୍ତକାରୀ ସଂସ୍ଥା ଡିପୋଜିଟ୍ କରିପାରିବେ ନାହିଁ । ନୂଆବର୍ଷଠାରୁ ଏହି ନିୟମ ଲାଗୁ ହୋଇଯିବ । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ୟୁଏଏନ ସହ ଆଧାର ଲିଙ୍କ ହୋଇନଥିଲେ ଏଥିରେ ଇପିଏଫ୍ ଆକାଉଣ୍ଟରେ ନିଯୁକ୍ତକାରୀ ସଂସ୍ଥା ଦେଉଥିବା ଆପଣଙ୍କ ଅଂଶ ଟଙ୍କା ଜମା ହୋଇ ପାରିବ ନାହିଁ ।
କରୋନା ମହାମାରୀ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଡେଡଲାଇନ୍ ଦୁଇ ଥର ବଦଳି ସାରିଛି । ତେବେ ୨୦୨୧ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କଲେ ୫ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଆଗରୁ ୧୦ହଜାର ଟଙ୍କା ପେନାଲଟି ଦେବାକୁ ପଡୁଥିଲା । ତେବେ ଯଦି ଆପଣଙ୍କ ଆୟ ଉପରେ କୌଣସି ଟାକ୍ସ ଦେବାକୁ ନାହିଁ ତେବେ କୌଣସି ପେନାଲଟି ଚାର୍ଜ ଲାଗିବନି ।
ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଣ ଲାଗି ୧ଜାନୁଆରୀ ୨୦୨୨ରୁ ନିୟମ ବଦଳିଯିବ । ମାସକରେ ୪ଥରରୁ ଅଧିକ ଟଙ୍କା ଉଠାଇଲେ, ଉଠାଣ ରାଶିର ୦.୫ପ୍ରତିଶତ ଚାର୍ଜ ଲାଗିବ । ଏହା ଉପରେ ଅଧିକ ଅତିରିକ୍ତ ଜିଏସଟି ଦେବାକୁ ପଡିବ ।
ବୀମା ନିୟାମକ ସଂସ୍ଥା ଆଇଆରଡ଼ିଏଆଇ ସମସ୍ତ ବୀମା କମ୍ପାନୀକୁ ୧ଜାନୁଆରୀ ୨୦୨୨ରୁ ସରଳ ଜୀବନ ବୀମା ଲଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହା ଏକ ଷ୍ଟାଣ୍ଡାର୍ଡ ଟର୍ମ ଇନ୍ୟୁରାନ୍ସ ହେବ । ୧୮ରୁ ୬୫ବର୍ଷ ବୟସ୍କ ୫ଲକ୍ଷରୁ ୨୫ଲକ୍ଷ ପର୍ଯ୍ୟନ୍ତ ଟର୍ମ ଇନ୍ସୁରାନ୍ସ ନେଇପାରିବେ ।
ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ପେମେଣ୍ଟକୁ ଅଧିକ ନିରାପଦ କରିବା ଲାଗି ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନଲାଇନ୍ ପେମେଣ୍ଟ କରିବା ଲାଗି ପ୍ରତିଥର ଆପଣଙ୍କୁ ୧୬ଟିକିଆ ଡେବିଟ୍ ବା କ୍ରେଡିଟ୍ କାର୍ଡ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ପଡିବ । କିମ୍ବା ଏଥିପାଇଁ ଟୋକନ୍ ସିଷ୍ଟମ୍ ଆପଣାଇବାକୁ ପଡିବ । ଆପଣଙ୍କ କାର୍ଡର ତଥ୍ୟ କୌଣସି ଆ ର୍ ଇକମର୍ସ ସାଇଟ୍ କିମ୍ବା ୱେବସାଇଟ୍ ସେଭ୍ କରି ରଖିପାରିବେ ନାହିଁ ।