ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
- ୧୪୪ ଧାରା ଲାଗୁ, ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
କଳାହାଣ୍ଡି : ଆଜି କଳାହାଣ୍ଡି ଜିଲାର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏବର୍ଷ ବି କରୋନା କଟକଣା ପାଇଁ ବିନା ଭକ୍ତରେ ସଂପନ୍ନ ହେଉଛି ପରମ୍ପରା। ସହରରେ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ । ଭବାନୀପାଟଣା ମାଁ ମାଣିକେଶ୍ବରୀଙ୍କ ମୂଳ ଆସ୍ଥାନ ମନ୍ଦିର ଠାରୁ ମାଁଙ୍କ ପ୍ରତିକ ଛତର ଭୋର ୫ ଟାରେ ବାହାରୀ ସହର ଉପକଣ୍ଠ ଜେନାଖାଲରେ ଗୁପ୍ତ ପୂଜା ଜାରି ରହିଛି। ସରକାରଙ୍କ ଗାଇଡଲାଇନ୍କୁ କଡାକଡି ପାଳନ ସକାଶେ ଛତର ଯାତ୍ରା ସମୟରେ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ବିନା ଭକ୍ତରେ ପରମ୍ପରା ପାଳନ ହୋଇ ଆସୁଛି।
ସେହିପରି ମା ’ ମାଣିକେଶ୍ୱରୀଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ମହାରାଜା ଓ ମନ୍ଦିର କମିଟିର ନିର୍ଘଣ୍ଟ ତିଥ ସମୟ ଅନୁସାରେ ହିଁ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଛତର ସହିତ ରୀତିନୀତି ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ପକ୍ଷରୁ ନିର୍ଦ୍ଦିଷ୍ଟ ପୂଜକ , କମିଟି ସଦସ୍ୟ ଓ ଅନ୍ୟମାନଙ୍କ ସମେତ ପାରମ୍ପାରିକ ଭାବରେ ଗୋଟିଏ ଘୁମୁରା ଦଳ ଓ ମନ୍ଦିରର ବାଜା ଛତର ଯାତ୍ରାରେ ସାମିଲ ହେବେ ବୋଲି ନିଷ୍ପତି ହୋଇଛି । ତେବେ ଏବର୍ଷ ମଧ୍ୟ ମାଣିକେଶ୍ୱରୀଙ୍କ ଦର୍ଶନରୁ ଭକ୍ତ ବଂଚିତ ହେବେ । ସମଗ୍ର କାର୍ଯ୍ୟକ୍ରମ ବିନା ଭକ୍ତରେ ଅନୁଷ୍ଠିତ ହେବ । ଭକ୍ତ ଯେପରି ସୋସିଆଲ ମିଡିଆ ଓ ଟିଭିରେ ଲାଇଭ ମାଧ୍ୟମରେ ମା’ଙ୍କ ଦର୍ଶନ କରିପାରିବେ ସେଥିପାଇଁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଶାନ୍ତି ଓ ଶୃଙ୍ଖଳା ସହି ଛତର ଯାତ୍ରା ସଂପନ୍ନ କରାଯିବା ସହ ବଳି ପ୍ରଥା ଉପରେ କୋର୍ଟଙ୍କ ଯାହା ନିର୍ଦ୍ଦେଶ ରହିଛି ତାହା ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁକୁହାଯାଇଛି ।