ଆଜି କୁମାର ପୂର୍ଣ୍ଣିମା, ଧରାବତରଣ କରିବେ ମା’ ଲକ୍ଷ୍ମୀ
ଭୁବନେଶ୍ୱର : ମହାପର୍ବର ମହାମିଳନ । ଆଜି କୁମାର ପୁର୍ଣ୍ଣିମା ସହ ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ । ମା’ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ତେବେ ସାରା ରାଜ୍ୟରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇଛି । କିନ୍ତୁ ଏଥର ମଧ୍ୟ ଆଡମ୍ବର ନୁହେଁ ପରମ୍ପରା ରକ୍ଷା ପାଇଁ କୋଭିଡ କଟକଣାରେ ପୂଜା ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା । କେବଳ ପୂଜା କମିଟି ସଦସ୍ୟଙ୍କ ଉପସ୍ଥିତିରେ ହେବ ଗଜଲକ୍ଷ୍ମୀ ପୂଜା ।
କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍ୟାପିତ ହେବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ, ପୁଷ୍ପର ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପ୍ରଣାମ କରନ୍ତି । ନୂଆ କୁଲାରେ ବିଭିନ୍ନ ପ୍ରକାର ଫୁଲ ଫଳ ଖଇ ଧୂପ ଦୀପ ଦେଇ, ପ୍ରଥମେ ଚଉଁରାକୁ ବନ୍ଦାପନା କରି ସାରିବା ପରେ, ସୂର୍ଯ୍ୟ ଦେବଙ୍କୁ ଜଳଟେକିବା ସହିତ ଆଞ୍ଜୁଳି ଟେକି ଥାନ୍ତି । ସନ୍ଧ୍ୟାରେ ଜହ୍ନ ଆସିବା ଦେଖି ବିଭିନ୍ନ ପିଠାପଣାରେ ତୁଳସୀ ଚଉଁରା ମୂଳେ ଭୋଗ ଲାଗି କରାଯିବା ପରେ କୁମାରୀ ଝିଅମାନେ କୁମାର କାର୍ତ୍ତିକଙ୍କ ଭଳି ଭଲ ଜୀବନସାଥି ନିମନ୍ତେ ପୂର୍ଣ୍ଣମୀର ସେଇ ଚକା ଚାନ୍ଦକୁ ପୂଜା କରିଥାନ୍ତି । ତାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତା । ମା ମାନେ ପିଲାମାନଙ୍କର ମଙ୍ଗଳ କାମନା କରିବା ସହ ବନ୍ଦାପନା କରିଥାନ୍ତି । ପୂଜା ଶେଷ ହେବା ପରେ ଜହ୍ନ ରାତିରେ କୁମାରୀ ଝିଅମାନେ ଏକତ୍ରିତ ହୋଇ ଜହ୍ନି ଓଷା ଗୀତ ଗାଇ ନିଜ ନିଜ ଭିତରେ ଖୁସି ବାଣ୍ଟିଥାନ୍ତି । ସେହିପରି ଗୁରୁଜନମାନଙ୍କ ଆର୍ଶୀବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି । ଏହା କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ। କୁମାରମାନେ କବାଡି,ପଶାଖେଳ ଆଦିରେ ମଜି ରହନ୍ତି । କୁମାରୀମାନେ ଲୁଚକାଳି ପୁଚି ଆଦି ଖେଳି ସାରା ରାତି ବିତାଇ ଦିଅନ୍ତି । କୁମାରୀମାନଙ୍କ କୁଆଁର ପୁନେଇଁ ଜହ୍ନ ଲୋ ଗୀତରେ ପରିବେଷ ମୁଖରିତ ହୋଇପଡେ । ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ।