ଆଜି ପବିତ୍ର ଅକ୍ଷୟ ତୃତୀୟା ! ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିବ ଚଷା ପୁଅ
ଭୁବନେଶ୍ୱର: ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। ବିଶ୍ୱାସ ରହିଛି ଆଜିର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଭଲ ଫସଲ ଆସେ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ। ଘରେ ଘରେ ବେତା, ଗଉଣୀକୁ ଭଲଭାବେ ଧୋଇ ସେଥିରେ ଝୋଟି, ଚିତା ପକାଇ ବିଭିନ୍ନ ପ୍ରକାରର ଫଳମୂଳ ରଖି, ହଳ ଲଙ୍ଗଲ ନେଇ କ୍ଷେତରେ ପୂଜାର୍ଚ୍ଚନା କରିଛି।
କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ। ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଏବଂ ମୁଠି ଅନୁକୂଳ କରେ। ଏହାକୁ ଅକ୍ଷିମୁଠି କୁହାଯାଏ। ଅକ୍ଷୟ ତୃତୀୟା ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭକାର୍ଯ୍ୟ କରାଯାଇଥାଏ।
ଓଡ଼ିଆ ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଏହି ପୂଜା ହୋଇଥାଏ । ଆଜି ଠାରୁ ଚାଷ କାମ ଆରମ୍ଭ ହୋଇଥାଏ । ସକାଳୁ ସକାଳୁ ଚାଷୀ ଟିଏ ତାର ଚାଷ ଜମିକୁ ପୂଜା କରିବା ପାଇଁ ପ୍ରଥମେ ଘରେ କଳସ ବସେଇ ପୂଜାର୍ଚ୍ଚନା କରି ନିଜର ଚାଷ ଜମିକୁ ଯାଇଥାଏ । ସେଠାରେ ନେଇଥିବା ବିହନ କୁ ବୁଣି ପୁଜା କରିଥାଏ । ବିଶ୍ୱାସ ରହି ଆସିଛି ଏହି ଦିନ ନିଜର ଚାଷ ଜମିରେ ବିହନ ମୁଠାଏ ପକେଇ ପୂଜା କରିବା ସହ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଅକ୍ଷି ମୁଠି ଅନକୂଳ କରେ ଚାଷୀ ।
ପୌରାଣିକ ପୃଷ୍ଠଭୂମି କୁହେ, ଆଜିର ଦିନରେ ଜ୍ଞାନ ଓ ବୁଦ୍ଧିର ଦେବତା ପ୍ରଭୁ ଗଣେଶ ବେଦବ୍ୟାସଙ୍କ କଣ୍ଠରେ ବସି ତାଙ୍କ ମାଧ୍ୟମରେ ମହାଭାରତ ଲେଖାଇବା ଆରମ୍ଭ କରିଥିଲେ। ସେହିପରି ଅକ୍ଷୟ ତୃତୀୟାକୁ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମଦିନ ଭାବେ ପାରମ୍ପରିକ ଭାବେ ମଧ୍ୟ ପାଳନ କରାଯାଏ। ପୁଣି ଏହି ନିର୍ଦିଷ୍ଟ ଦିନରେ ତ୍ରେତୟା ଯୁଗ ଆରମ୍ଭ ହୋଇଥିବା ବେଳେ ପବିତ୍ର ଗଙ୍ଗାନଦୀ ସ୍ୱର୍ଗରୁ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସିଥିବା ଭଳି ପୌରାଣିକ ମତ ରହିଛି। ତେଣୁ ଅକ୍ଷୟ ତୃତୀୟାକୁ ପବିତ୍ର ଦିନ ଭାବେ ଧରାଯାଉଥିବା ବେଳେ ଚଷାମାନେ ବିଲରେ ପୂଜାକରି ବିହନ ବୁଣି ଚଳିତ ବର୍ଷର ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏନେଇ ରାଜଧାନୀର ଉପକଣ୍ଠରେ ବିଶେଷ ଭାବେ ଏହି ପାର୍ବଣର ଆଡ଼ମ୍ବର ଦେଖିବାକୁ ମିଳିଛି।
ସେହିପରି ସୁନା କ୍ରୟ ପାଇଁ ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗଣାଯାଇଥାଏ। ଏହି ଦିନ ସୁନା କିମ୍ବା ରୁପା କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି ସର୍ବସାଧାରଣରେ ବିଶ୍ୱାସ ରହିଛି। ବୁଧବାର ଏହି ପବିତ୍ର ପର୍ବ ପଡୁଥିବାବେଳେ ରାଜଧାନୀର ଗହଣା ଶୋ’ରୁମ୍ଗୁଡିକରେ ଏବେ ଚାଲିଛି ଅକ୍ଷୟ ତୃତୀୟା ଅଫର୍। ଅକ୍ଷୟ ତୃତୀୟା ଅବସରରେ ଶୋ’ରୁମ୍ଗୁଡିକରେ ସାଜସଜ୍ଜା ମଧ୍ୟ ଆକର୍ଷଣୀୟ ହୋଇଛି। ଚଳିତ ବର୍ଷ ସୁନା ଦର ଚଢ଼ା ରହିଥିଲେ ମଧ୍ୟ ଗହଣା କିଣିବା ପାଇଁ ବିଭିନ୍ନ ଶୋ’ରୁମ୍ରେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।