ଆଜି ୯୯ତମ ‘ମନ୍ କି ବାତ୍’ : ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଚଳିତ ବର୍ଷର ତୃତୀୟ ମନ କି ବାତ କାର୍ଯ୍ୟକ୍ରମ । ରବିବାର ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୯୯ତମ ପର୍ଯ୍ୟାୟ ହେବ । ଦେଶ ତଥା ବିଦେଶରେ ଥିବା ଲୋକଙ୍କ ସହ ଭାବ ବିନିମୟ କରିବେ ମୋଦି । ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଐତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି ।
ସୂଚନା ଯେ, ୩ ଅକ୍ଟୋବର ୨୦୧୪ର ବିଜୟାଦଶମୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୯୮ଟି ଏପିସୋଡ ସରିଯାଇଛି । ‘ମନ୍ କି ବାତ୍’ ପ୍ରତିମାସ ଶେଷ ରବିବାର ଦିନ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥାଏ । ଯେଉଁ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସହ ଯୋଗାଯୋଗ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ତଥା ଅଲ ଇଣ୍ଡିଆ ରେଡିଓ ନ୍ୟୁଜ ୱେବସାଇଟ ଏବଂ ନ୍ୟୁଜଅନ ମୋବାଇଲ୍ ଆପରେ ପ୍ରସାରିତ ହେବ। ଏହା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଅଲ ଇଣ୍ଡିଆ ରେଡିଓ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହାର ହିନ୍ଦୀ ପ୍ରସାରଣ ପରେ ଅଲ ଇଣ୍ଡିଆ ରେଡିଓ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭାଷାରେ ପ୍ରସାରଣ କରିବ।
ତେବେ ‘ମନ କି ବାତ’ ର ୧୦୦ ତମ ଏପିସୋଡ ୩୦ ଏପ୍ରିଲରେ ଶେଷ ହେବ। ଭାରତରେ ଘଟୁଥିବା ପରିବର୍ତ୍ତନ ଉପରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟବସିତ। ତେଣୁ ଅଲ ଇଣ୍ଡିଆ ରେଡିଓ ୧୫ ମାର୍ଚ୍ଚର ୧୦୦ ତମ କାର୍ଯ୍ୟକ୍ରମ ପୂର୍ବରୁ ଏକ ନିଆରା ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମନ କି ବାତର ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହାଇଲାଇଟ୍ ହୋଇଥିବା ୧୦୦ ଟି ଥିମକୁ ସାମ୍ନାକୁ ଆଣିବ। ମନ କି ବାତର ପ୍ରତ୍ୟେକ ଏପିସୋଡ ସହିତ ଜଡିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଣ୍ଡ ବାଇଟ୍ ଅଲ ଇଣ୍ଡିଆ ରେଡିଓ ନେଟୱାର୍କର ସମସ୍ତ ବୁଲେଟିନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପ୍ରସାରିତ ହେବ। ମାର୍ଚ୍ଚ ୧୫ ରୁ ଏହି ଅଭିଯାନ ପ୍ରସାରିତ ହୋଇଛି ଏବଂ ୧୦୦ ତମ ଏପିସୋଡର ଗୋଟିଏ ଦିନ ପୂର୍ବରୁ ଏହା ୨୯ ଏପ୍ରିଲରେ ଶେଷ ହେବ।