ଆଜି ୩ୟ ଦିନିକିଆ! ସିରିଜ ବିଜୟ ଲକ୍ଷରେ ଭାରତ, ଶେଷ ମୁକାବିଲା ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ୱେଷ୍ଟଇଣ୍ଡିଜ୍
ଅହମ୍ମଦାବାଦ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଗୁଜରାଟର ଅହମ୍ମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅପରାହ୍ନ ସାଢ଼େ ୧ଟାରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ପୂର୍ବରୁ ଶୃଙ୍ଖଳାର ୨ଟି ମ୍ୟାଚ୍ ଜିତିବା ସହିତ ଶୃଙ୍ଖଳା ହାତେଇ ସାରିଛି। ତେଣୁ ଆଜିର ମ୍ୟାଚ୍ ସେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷ ମୁକାବିଲାକୁ ଜିତିବା ପାଇଁ ଉଦ୍ୟମ କରିବ । କାରଣ ଭାରତ ଆଜିର ମ୍ୟାଚ ଜିତିଲେ ରୋହିତ ଶର୍ମା ନିଜର ପୂର୍ଣ୍ଣକାଳୀନ ଦିନିକିଆ ଅଧିନାୟକ ହେବା ପରେ ଶୃଙ୍ଖଳାକୁ ମୂଳପୋଛ କରି ଏକ ନୂଆ ଅଭିଜ୍ଞତା ସାଉଁଟିବେ। ଅନ୍ୟପଟରେ ଅତିଥି ଦଳ ଆଜିର ଶେଷ ଦିନିକିଆ ଜିତି ନିଜର ସମ୍ମାନ ରଖିବାକୁ ଉଦ୍ୟମ କରିବ।
ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଭାରତ ୪୪ ରନ୍ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୩୮ ରନ୍ ସଂଗ୍ରହ କରିଥିଲା। ତଥାପି ବିଜୟୀ ହେବା ପାଇଁ ଭାରତୀୟ ବୋଲରମାନେ ବହୁ ପରିଶ୍ରମ କରିଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ବହୁତ ଭଲ ବୋଲିଂ କରିଥିଲେ। ସେ ୪ଟିରୁ ନିଜର ପ୍ରଥମ ୨ ଓଭରରେ ୨ଟି ୱିକେଟ୍ ନେଇଥିଲେ। ଭାରତର ବୋଲିଂ ବଳରେ ୭୬ ରନ୍ରେ ୱେଷ୍ଟଇଣ୍ଡିଜ୍ର ୫ଜଣ ଖେଳାଳି ଆଉଟ ହୋଇଥିଲେ।
ଭାରତୀୟ ଅନ୍ୟ ବୋଲର ମାନେ ମଧ୍ୟ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଶାର୍ଦ୍ଦୁଳ ଠାକୁର ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଘରୋଇ ପଡ଼ିଆରେ କ୍ରମାଗତ ୭ଟି ମ୍ୟାଚ ଜିତିଛି।