ଆଜି ଇନ୍ଦିରା ଏକାଦଶୀ; ନିଷ୍ଠାର ସହ ବ୍ରତ ପାଳନ କଲେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ଇନ୍ଦିରା ଏକାଦଶୀ । ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିôବାରୁ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯଦି କୌଣସି ବ୍ୟକ୍ତି ଏକାଦଶୀ ବ୍ରତ କରି ତାର ପୁଣ୍ୟ ପିତୃପୁରୁଷଙ୍କୁ ସମର୍ପିତ କରେ, ତେବେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି କୁହାଯାଏ ।
ପୌରାଣିକ କଥାନୁସାରେ, ସତ୍ୟଯୁଗରେ ମହିଷ୍ମତୀ ନାମରେ ଏକ ନଗର ଥିଲା । ଏହି ନଗର ରାଜା ଥିଲେ ଇନ୍ଦ୍ରସେନ । ରାଜା ଇନ୍ଦ୍ରସେନ ପ୍ରବଳ ପ୍ରତାପୀ ଓ ପ୍ରଜାମାନଙ୍କୁ ନିଜର ସନ୍ତାନ ଭାବେ ପାଳନ କରୁଥିଲେ । ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ ଥିଲେ । ତେଣୁ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ । ତାଙ୍କର କୌଣସି ଅଭାବ ନଥିଲା । ସେ ଭଗବାନ ବିଷ୍ଣୁଙ୍କ ବଡ଼ ଉପାସକ ଥିଲେ ।
ଏକଦା ଇନ୍ଦ୍ରସେନଙ୍କ ରାଜସଭାକୁ ନାରଦ ମୁନି ଆଗମନ କଲେ । ନାରଦ ସେଠାରେ ଇନ୍ଦ୍ରସେନ ପିତାଙ୍କ ବାର୍ତ୍ତା ନେଇ ପହଞ୍ôଚଲେ । ପୂର୍ବଜନ୍ମର କୌଣସି ଖରାପ କର୍ମ ପାଇଁ ସେ ଯମଲୋକରେ ହିଁ ଅଛନ୍ତି । ତାଙ୍କର ମୁକ୍ତି ହୋଇନାହିଁ । ତାଙ୍କର ମୋକ୍ଷ ପ୍ରାପ୍ତି ପାଇଁ ଇନ୍ଦ୍ରସେନଙ୍କୁ ଇନ୍ଦିରା ଏକାଦଶୀ ବ୍ରତ ପାଳନ କରିବାକୁ ହେବ । ପିତାଙ୍କର ଏହି ବାର୍ତ୍ତା ଶୁଣି ଇନ୍ଦ୍ରସେନ ନାରଦଙ୍କ ଠାରୁ ଏହି ଏକାଦଶୀ ବ୍ରତ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କଲେ ।
ବ୍ରତ କଥାଶୁଣି ରାଜା ଇନ୍ଦ୍ରସେନ ଏହି ଏକାଦଶୀ ପାଳନ କଲେ ଏବଂ ବ୍ରତର ପୁଣ୍ୟଫଳ ପିତୃପୁରୁଷଙ୍କୁ ଅର୍ପଣ କଲେ । ଏହି ଏକାଦଶୀ ବ୍ରତ ପ୍ରଭାବରେ ତାଙ୍କ ପିତାଙ୍କୁ ମୋକ୍ଷ ମିଳିବା ସହ ସେ ବୈକୁଣ୍ଠ ଗମନ କଲେ । ଇନ୍ଦିରା ଏକାଦଶୀର ପୁଣ୍ୟ ପ୍ରଭାବରୁ ମୃତ୍ୟୁପରେ ଇନ୍ଦ୍ରସେନଙ୍କୁ ମଧ୍ୟ ବୈକୁଣ୍ଠ ପ୍ରାପ୍ତି ହୋଇଥିଲା ।