ଆଜି ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ୱ ନେବ ଭାରତ
ନୂଆଦିଲ୍ଲୀ : ଜାତିସଂଘରେ ଭାରତକୁ ମିଳିଲା ବଡ ଦାୟିତ୍ୱ। ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ୱ ଭାରତ ତୁଲାଇବ। ଗତକାଲି ରବିବାର ଥିବାରୁ ଆଜି ସୋମବାର ଫ୍ରାନ୍ସଠୁ ବିଧିବଦ୍ଧ ଭାବେ ଭାରତ ଏହି ଦାୟିତ୍ୱ ଗ୍ରହଣ କରିବ। ଏଥିପାଇଁ ରୁଷ ଏବଂ ଫ୍ରାନ୍ସ ଭାରତକୁ ସ୍ୱାଗତ କରିଛନ୍ତି । ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ। ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା ଆଦି ଫୋକସ୍ ରେ ରହିବ।
ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି। ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରିବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେ କହିଛନ୍ତି। ଯେଉଁ ମାସରେ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି ସେହି ସମୟରେ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଭାରତ ନିୟନ୍ତ୍ରଣରେ ରହିବା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ତିରୁମୂର୍ତ୍ତି କହିଛନ୍ତି। ଭାରତ ସୋମବାରଠାରୁ ଆନୁଷ୍ଠାନିକ ଭାବେ ନିରାପତ୍ତା ପରିଷଦର କାମ ଆରମ୍ଭ କରିବ ଏବଂ ଏହା ପ୍ରଥମ କାର୍ଯ୍ୟ ଦିବସ ହେବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଏନଏସସିର ଏକ ବୈଠକରେ ଅଧ୍ୟକ୍ଷତା କରିବେ । ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧି ଟିଏମ୍ କୃଷ୍ଣମୂର୍ତ୍ତି କହିଛନ୍ତି , ଭାରତ ଅଧ୍ୟକ୍ଷତା ସମୟରେ ୩ଟି ହାଇଲେଭଲ୍ ବୈଠକ କରିବ । ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ସରକାର ଯୁଏନଏସସିର କୌଣସି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାକୁ ଯାଉଛି । ଏହି ସମୟରେ ଭାରତ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବ । ଏହା ସହିତ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଯୁଏନଏସସିର କୌଣସି ବୈଠକରେ ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୧୯୯୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିବି ନରସିହ୍ମା ରାଓ ସୁରକ୍ଷା ପରିଷଦର କୌଣସି ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକ ଯଦିଓ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ କିନ୍ତୁ ଐତିହାସିକ ହେବ ବୋଲି କହିଛନ୍ତି ସଂଯୁକ୍ତ ରାଷ୍ଟ୍ରରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସଦସ୍ୟ ସୟଦ ଆକବରଉଦ୍ଦୀନ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମୋଟ ୧୫ ଦେଶ ସାମିଲ ଅଛନ୍ତି । ଯେଉଁଥିରେ ୫ ସ୍ଥାୟୀ ଏବଂ ୧୦ ଅସ୍ଥାୟୀ ଦେଶ ସଦସ୍ୟ ରହିଛନ୍ତି । ସ୍ଥାୟୀ ଦେଶ ତାଲିକାରେ ରହିଛନ୍ତି ଫ୍ରାନ୍ସ, ଚୀନ, ଋଷ, ବ୍ରିଟେନ୍ ଏବଂ ଆମେରିକା । ଅସ୍ଥାୟୀ ଦେଶ ତାଲିକାରେ ଅଛି ଭାରତ । ଅସ୍ଥାୟୀ ଦେଶ ଭାବେ ଭାରତର କାର୍ଯ୍ୟକାଳ ୨ ବର୍ଷ ରହିଛି ।