ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ : ସିରିଜ୍ ବିଜୟ ଲକ୍ଷ୍ୟରେ ଇଣ୍ଡିଆ
କଲମ୍ବୋ : ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ଥିବା ଟି-୨୦ ଶୃଙ୍ଖଳାର୨ୟ ମ୍ୟାଚ ଖେଳାଯିବ । କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଏହି ମ୍ୟାଚ ଖେଳାଯିବ । ଏଥି ପାଇଁ ଉଭୟ ଅତିଥି ଟିମ୍ ଏବଂ ଘରୋଇ ଦଳ ପ୍ରସ୍ତୁତ ହୋଇଯାଇଛନ୍ତି । ମ୍ୟାଚ ବିଜୟ ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଶିଖର ଧାୱନଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛି । ଆଜିର ମ୍ୟାଚ ଜିତି ଶୃଙ୍ଖଳା ବିଜୟ ହାସଲ କରିବାକୁ ଉଦ୍ୟମ କରିବ । ସେଥିପାଇଁ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟରେ ଶ୍ରୀଲଙ୍କା ଫର୍ମକୁ ଫେରିବାକୁ ଶତପ୍ରତିଶତ ଉଦ୍ୟମ କରିବ ।
ପ୍ରଥମ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା । ଏହି ପ୍ରଦର୍ଶନକୁ ମଙ୍ଗଳବାର ଦୋହରାଇବା ପାଇଁ ଭାରତ ଉଦ୍ୟମ କରିବ । ଘରୋଇ ଦଳ ପାଇଁ ଶେଷ ସୁଯୋଗ ରହିଛି । ଦିନିକିଆ ସିରିଜ ପରାଜିତ ହୋଇସାରିଛି । ଟି-ଟ୍ୱେଣ୍ଟି ସିରିଜ ଜିତି ସମ୍ମାନ ବଞ୍ଚାଇବାକୁ ଶ୍ରୀଲଙ୍କା ଉଦ୍ୟମ କରିବ। ତେଣୁ ମଙ୍ଗଳାବାର ବିଜୟ ପାଇଁ ଶ୍ରୀଲଙ୍କା ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଭାରତୀୟ ଦଳରେ ମଙ୍ଗଳାବାର ବଡ ପରିବର୍ତ୍ତନ ହେବାର ଆଶା ରହିଛି । ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ଉଭୟ ମଙ୍ଗଳବାର ଖେଳିବା ନେଇ ଆଶଙ୍କା ରହିଛି । ଉଭୟ ବିଶ୍ରାମ ପାଇଲେ ଦେବଦତ୍ତ ପାଡ଼ିକଲ ଓ ଋତୁରାଜ ଗାଏକୱାଡଙ୍କୁ ସୁଯୋଗ ମିଳିବ । ମନିଷ ପାଣ୍ଡେ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ବୋଲିଂ ବିଭାଗରେ ପରିବର୍ତ୍ତନ ହେବ ନାହିଁ । ଆଜି ସଞ୍ଜୁ ସାମସନଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ତାଙ୍କ ବ୍ୟାଟ୍ରୁ ବିସ୍ପୋରକ ବ୍ୟାଟିଂ ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ନିଶ୍ଚିତ । ଫ୍ଲଡ୍ ଲାଇଟ୍ ତଳେ ମ୍ୟାଚ୍ ଖେଳାଯିବ । ତେଣୁ ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ସୂଚନା ଯେ, ୩ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଗତ ୨୫ ତାରିଖ ଦିନ ଆୟୋଜକ ଶ୍ରୀଲଙ୍କାକୁ ଟିମ୍ ଇଣ୍ଡିଆ ୩୮ ରନ୍ରେ ପରାସ୍ତ କରିବା ସହିତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ଟିମ ସମସ୍ତ ୱିକେଟ ହରାଇ ୧୮.୩ ଓଭରରେ ୧୨୬ ରନ୍ ଜୁଟାଇବାକୁ ସକ୍ଷମ ହୋଇଥିଲା । ପ୍ଲେୟାର ଅଫ ଦ ମ୍ୟାଚ୍ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିଲେ । ଭାରତ ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିଲା ।