ଆଜି ଭାରତ-ଇଣ୍ଡିଜ୍ ଟି୨୦ ସିରିଜ୍, ଦର୍ଶକଙ୍କୁ ମନା
କୋଲକାତା : ଇଡେନ୍ ଗାର୍ଡେନ୍ସରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଂଟି ସିରିଜ ଖେଳାଯିବ । ଏହି ସିରିଜ ପାଇଁ ପଶ୍ଚିମବଙ୍ଗ ସରକାର ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତି ନେଇଛି । ବୁଧବାର ପ୍ରଥମ ଟି-ଟ୍ୱେଂଟି ଖେଳାଯିବ ।
ବିସିସିଆଇ ନିଷ୍ପତି କ୍ରମେ ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି ଅଫିସିଆଲ୍, ବିଭିନ୍ନ ୟୁନିଟ୍ର ପ୍ରତିନିଧି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିମାନେ ମ୍ୟାଚ୍ ଦେଖିପାରିବେ । କିନ୍ତୁ ବେଙ୍ଗଲ କିକେଟ୍ ବୋର୍ଡ଼ (ସିଏବି) ଶେଷ ଦୁଇଟି ମ୍ୟାଚ୍ ପାଇଁ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରିଛି । ଏବେ ସିଏବି ବିସିସିଆଇର ଉତରକୁ ଅପେକ୍ଷା କରିଛି । ଦର୍ଶକଙ୍କୁ ଅନୁମତି ମିଳିଲେ ଖୁବଶୀଘ୍ର ଟିକେଟ୍ ବିକ୍ରି କରାଯିବ ବୋଲି ସିଏବି ପକ୍ଷରୁ କୁହାଯାଇଛି ।
କ୍ୟାପ୍ଟେନ ପଦ ଛାଡ଼ିବା ଦିନ ଠାରୁ ବିରାଟ କୋହଲିଙ୍କ ବ୍ୟାଟ୍ ଆଦୌ ଚାଲୁ ନାହିଁ । ବିଶେଷ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ରେ ବିରାଟ କ୍ରମାଗତ ବିଫଳ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏସବୁ ଭିତରେ ଆସନ୍ତାକାଲି ଠାରୁ ଭାରତ ଓ ଇଣ୍ଡିଜ୍ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍?ର ପ୍ରଥମ ମ୍ୟାଚ୍ କୋଲକାତାରେ ଆରମ୍ଭ ହେବ । ଏହାପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ବିରାଟଙ୍କ ଚାରିପାଖରେ ବାରମ୍ବାର ହେଉଥିବା ଆଲୋଚନା ବନ୍ଦ ହୋଇଗଲେ, ସବୁ କିଛି ଠିକ୍ ଠାକ ହୋଇଯିବ ବୋଲି ରୋହିତ କହିଛନ୍ତି । ସାମ୍ବାଦିକମାନେ ବିରାଟଙ୍କ ଫର୍ମକୁ ନେଇ ଟିମ୍ ମ୍ୟାନେଜମେଂଟ ଚିନ୍ତିତ କି ନାହିଁ ରୋହିତଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସେ କହିଛନ୍ତି, “ମୁଁ ଭାବୁଛି ସବୁ କିଛି ଆଲୋଚନା ଆପଣମାନେ ହିଁ ଆରମ୍ଭ କରିଛନ୍ତି । ଆପଣମାନେ ଯଦି କିଛି ଦିନ ପାଇଁ ଚୁପ ରହିଯିବେ, ତା’ହେଲେ ସବୁ କିଛି ଠିକଠାକ ହୋଇଯିବ । ଆପଣମାନଙ୍କ ପକ୍ଷରୁ ଚର୍ଚ୍ଚା ବନ୍ଦ ହୋଇଗଲେ, ସମସ୍ତେ ନିଜ ନିଜ କଥା ଚିନ୍ତା କରିପାରିବେ ।” ବିରାଟ କୌଣସି ଚାପରେ ନାହାନ୍ତି ଓ ସେ ଖୁବଶୀଘ୍ର ଲୟକୁ ଫେରିବେ ବୋଲି ମଧ୍ୟ ରୋହିତ କହିଛନ୍ତି । ସେ କହିଛନ୍ତି, “ବିରାଟ ବର୍ତମାନ ଠିକ ଅଛନ୍ତି ଓ ସେ ପ୍ରାୟ ଗୋଟିଏ ଦଶନ୍ଧି ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ଅଭିଜ୍ଞତା ରଖିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ ସହ ଦୀର୍ଘ ସମୟ ହେଲା ଜଡ଼ିତ ଥିବାରୁ ଚାପ ପରିସ୍ଥିତିକୁ କେମିତି ମୁକାବିଲା କରିବାକୁ ହୁଏ ସେକଥା ବେଶ ଭଲ ଭାବେ ଜାଣିଛନ୍ତି । ଆପଣମାନେ ହିଁ ସବୁ କଥା ଆରମ୍ଭ କରୁଛନ୍ତି । ଆପଣମାନେ ଚୁପ ରହି ଯାଆନ୍ତୁ । ବିରାଟ କୋହଲିଙ୍କୁ ଏକା ଛାଡ଼ି ଦିଆଯାଉ । ସେ ବେଶ ଦୃଢ଼ ଭାବେ କମବ୍ୟାକ କରିବେ ।” ବିରାଟ ଦୀର୍ଘ ୨ ବର୍ଷ ହେଲାଣି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିପାରିନାହାନ୍ତି । ପ୍ରାୟ ୩ ବର୍ଷ ତଳେ ତାଙ୍କ ବ୍ୟାଟରୁ ଦିନିକିଆ ଶତକ ଦେଖିବାକୁ ମିଳିଥିଲା ।
ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ରେ ପନ୍ତ ଭଲ ପ୍ରଦର୍ଶନ କରିଥିଲେ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍?ରେ ସେ ୮୫ ରନ୍ କରିଥିଲେ । ଏହି ସିରିଜରେ ସୂର୍ଯ୍ୟ କୁମାର ଯାଦବ(୧୦୪)ଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସର୍ବାଧିକ ରନ୍ ସ୍କୋର କରିଥିଲେ । ଶେଷ ଦିନିକିଆରେ ସେ ୫୪ ବଲରେ ୫୬ ରନ୍?ର ଇନିଂସ୍ ଖେଳିବାରୁ ଭାରତ ୨୬୫ ରନ୍ କରିପାରିଥିଲା । ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରି ଇଣ୍ଡିଜ ଟିମ୍କୁ ୧୬୯ ରନ୍ରେ ଅଟକାଇ ଦେଇଥିଲା । ଏଥିସହ ଦିନିକିଆ ସିରିଜ୍କୁ ୩-୦ରେ ମଧ୍ୟ ଜିତି ନେଇଥିଲା । ପନ୍ତ ଭଲ ଲୟରେ ଥିବାରୁ ତାଙ୍କୁ ବିସିସିଆଇ ଟି-୨୦ର ଉପ ଅଧିନାୟକ ପଦ ଦେଇଛି । ଅନ୍ୟପକ୍ଷରେ କେଏଲ ରାହୁଲଙ୍କ ବ୍ୟତୀତ ଆହତ ଜନିତ ସମସ୍ୟା ଯୋଗୁ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ମଧ୍ୟ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ଏଥିପାଇଁ ବିସିସିଆଇ ଅକ୍ଷରଙ୍କ ବଦଳରେ ଦୀପକ ହୁଡ୍ଡା ଓ ସୁନ୍ଦରଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରିଛି ।