ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, କର ବା ମର ସ୍ଥିତିରେ ରୋହିତ ବାହିନୀ
ଚେନ୍ନାଇ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ୍ କବଜା ପାଇଁ ଉଭୟ ଦଳରେ ମଧ୍ୟରେ ଚିତ୍ତାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ହେବ ଟକ୍କର । ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ରୋହିତ୍-ଆଣ୍ଡ-କୋ ଦିନିକିଆ ଶୃଙ୍ଖଳା ସିଲ୍ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଖିଛି । ଆଜି ମ୍ୟାଚରେ ଟିମ୍ ଇଣ୍ଡିଆ ବଡ଼ ପରିବର୍ତ୍ତନ କରିପାରେ । ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି ।
ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ହୋଇଛି । ପ୍ରଥମ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ତେବେ ବୁଧବାର ଅନ୍ତିମ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଦଳକୁ ମଜବୁତ କରିବା ପାଇଁ ହିଟ୍ ମ୍ୟାନ୍ ୩ଟି ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୱାନଡେ’ରେ ବାରମ୍ବାର ଫ୍ଲପ୍ ହେଉଥିବା ସୂର୍ଯ୍ୟକୁମାର ଯାବଦଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିପାରନ୍ତି ରୋହିତ୍ । ତାଙ୍କ ସ୍ଥାନରେ ୪ନମ୍ବରରେ ଈଷନ କିଶାନଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିପାରେ । ସେହିପରି ଦ୍ୱିତୀୟ ମ୍ୟାଚରେ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ଚାଇନା ମ୍ୟାନ୍ ବା କୁଲଦୀପ ଯାଦବ ମଧ୍ୟ ବାଦ୍ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲିର ଉମ୍ରାନ ମଲ୍ଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରନ୍ତି । ସେହିଭଳି ବାମହାତି ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଲୋକାଲ ବଏ ୱାଂଶିଟନ ସୁନ୍ଦରଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି । ଘରୋଇ ମାଟିରେ ଆସନ୍ତା କାଲି ମ୍ୟାଚ୍ ଜିତି ସିରିଜ୍ କବଜା ପାଇଁ ଜୋରଦାର ଉଦ୍ୟମ ଚଳାଇନ୍ତି ହିଟ୍ ମ୍ୟାନ୍ ।
ସୂଚନା ଯେ, ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିକଟରୁ ୧୦ ୱିକେଟ୍ରେ ପରାସ୍ତ ହୋଇଛି । ଦଳର ଏହି ଶୋଚନୀୟ ପରାଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ରହିଛି । ନିଜର ଦିନିକିଆ ଇତିହାସରେ ଭାରତ ସବୁଠୁ ବଡ ପରାଜୟ ଭୋଗିଛି । ଭାରତୀୟ ଖେଳାଳିଙ୍କ ଏହି ପ୍ରଦର୍ଶନକୁ ଚାରି ଆଡୁ ସମାଲୋଚନା କରାଯାଉଛି । ନା ବ୍ୟାଟିଂ ନା ବୋଲିଂ ଉଭୟ ବିଭାଗରେ ଭାରତ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଛି । ଭାରତୀୟ ଦଳକୁ ଦୁଇ ମ୍ୟାଚ୍?ରେ ଦମଦାର ଆରମ୍ଭ ମିଳିନାହିଁ । ପ୍ରଥମ ଦିନିକିଆରେ ଶୁଭମନ ଗିଲ୍ ୨୦ ରନ କରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ନିଜର ଖାତା ଖୋଲି ପାରିନଥିଲେ । ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ବଡ ସ୍କୋର କରିବାକୁ ହେଲେ ଭଲ ଆରମ୍ଭ ମିଳିବା ଦରକାର । ମାତ୍ର ଶୁଭମନ ଦଳକୁ ସେହି ଆରମ୍ଭ ଦେଇ ପାରିନଥିଲେ । ଦ୍ୱିତୀୟ ଦିନିକିଆରେ ଶୁଭମନ ଆଉଟ୍ ହେବା ପରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଟି-୨୦ ଫର୍ମାଟ୍?ର ନମ୍ବର ୱାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଚଳିତ ସିରିଜ୍ ତାଙ୍କ ପାଇଁ ଅଭିଶପ୍ତ ରହିଛି । ଲଗାତାର ଦୁଇଟି ମ୍ୟାଚ୍ରେ ପ୍ରଥମ ବଲ୍ରେ ହିଁ ଗୋଲଡେନ ଡକ୍?ର ଶିକାର ହୋଇଛନ୍ତି ସେ । ସେ ଲଗାତାର ବିଫଳ ହେବା ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଭାରତୀୟ ଦଳକୁ ଭଲ ଆରମ୍ଭ ମିଳିନଥିବା ବେଳେ ମଧ୍ୟ କ୍ରମ ବ୍ୟାଟର ବି ନିରାଶ କରିଛନ୍ତି । ସୂର୍ଯ୍ୟଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବିଫଳ ହୋଇଥିବା ବେଳେ ଦ୍ୱିତୀୟ ଦିନିକିଆରେ କେଏଲ ରାହୁଲ ବି ସଅଳ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୦, ହାର୍ଦ୍ଦିକ ପାଣ୍ଡ୍ୟା ୧ ଏବଂ କେଏଲ ରାହୁଲ ମାତ୍ର ୯ ରନ କରି ପାରିଥିଲେ । ତିନି ବ୍ୟାଟର ମାତ୍ର ୫ ଓଭର ଭିତରେ ଆଉଟ୍ ହୋଇଥିଲେ ।