ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଆଜି ବ୍ରିକ୍ସ ସମ୍ମିଳନୀ । ଗୁରୁବାର ୫ ଦେଶ ସମୂହର ବାର୍ଷିକ ସମ୍ମିଳନୀ ‘ବ୍ରିକ୍ସ’ରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିଜିଟାଲ ମାଧ୍ୟମରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକରେ ଆଫଗାନିସ୍ତାନର ସ୍ଥିତି ଉପରେ ବ୍ୟାପକ ଚର୍ଚ୍ଚା ହେବାର ଆଶଙ୍କା ରହିଛି ।
ସାରା ବିଶ୍ୱ ପାଇଁ ଆଫଗାନିସ୍ତାନ ସ୍ଥିତି ସଙ୍ଗଟ ଆଣିଦେଇଛି । ତାଲିବାନର ସରକାର ଗଠନ ପରେ ଏହା ବଢି ଯାଇଛି । ଆତଙ୍କବାଦୀଙ୍କ ହାତକୁ ଶାସନର ଡୋରି ଯିବା ପରେ ଭାରତ ସମେତ ଅନ୍ୟ ଦେଶ ଚିନ୍ତିତ ହୋଇପଡିଛନ୍ତି । ଆଫଗାନିସ୍ତାନ ମାଟିରୁ କୌଣସି ବଡ ଧରଣର ଆକ୍ରମଣ ଷଡଯନ୍ତ୍ର ହେବାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ନେଇ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସର ୧୩ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏବଂ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରେ ଉପସ୍ଥିତ ରହିବେ । ସୂଚନା ଯେ, ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା)ରେ ବିଶ୍ୱର ୫ଟି ବୃହତ୍ତ ବିକଶିତ ରାଷ୍ଟ୍ରର ସମାହାର । ଏହି ୫ଟି ଦେଶରେ ବିଶ୍ୱର ୪୧ ପ୍ରତିଶତ ଲୋକ ବସବାସ କରିଥାନ୍ତି । ସେହିଭଳି ଘରୋଇ ଉତ୍ପାଦନ ୨୪ ପ୍ରତିଶତ ହୋଇଥିବା ବେଳେ ବିଶ୍ୱର ବାଣିଜ୍ୟକୁ ୧୬ ପ୍ରତିଶତ ଯୋଗଦାନ କରିଥାଏ ।