ଆଜି କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଗୁରୁବାର ନିଷ୍ପତ୍ତି ହେବ। ଗିରଫ ଓ ରିମାଣ୍ଡରେ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି।
ବୁଧବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଳୀ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟରେ ଶୁଣାଣି ବେଳେ କେଜ୍ରିୱାଲ ତାଙ୍କ ଗିରଫଦାରିର ସମୟ ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଗିରଫଦାରି ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ସମାନ ସୁଯୋଗ ଏବଂ ନିରପେକ୍ଷ ତଥା ଅବାଧ ନିର୍ବାଚନ ଭଳି ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୁକ୍ତି କରିଥିଲେ ।
କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ପକ୍ଷ ରଖିଥିଲେ । କେଜ୍ରିୱାଲଙ୍କ ବିରୋଧରେ ତଦନ୍ତ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କହି ରାଜୁ ତାଙ୍କ ଆବେଦନକୁ ବିରୋଧ କରିଥିଲେ ।
ସୂଚନା ଯେ, ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତାଙ୍କୁ ପ୍ରଥମେ ମାର୍ଚ୍ଚ ୨୮ ଓ ପରେ ଏପ୍ରିଲ ୧ ଯାଏଁ ଇଡି ହାଜତକୁ ପଠାଇଥିଲେ ଟ୍ରାଏଲ କୋର୍ଟ । ସମ୍ପ୍ରତି ସେ ତିହାର ଜେଲରେ ରହିବେ । ଏପ୍ରିଲ ୧୫ ଯାଏଁ ଜେଲରେ ରହିବେ କେଜ୍ରିୱାଲ ।