ଆଜି ଗଣେଶ ପୂଜା, ମୁମ୍ବାଇରେ ୧୪୪ ଧାରା ଜାରି
- ୧୦ ଦିନ ପାଇଁ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ବଳବତ୍ତର ରହିବ ନିୟମ
ମୁମ୍ବାଇ : ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାବତରଣ କରିବେ ବିଘ୍ନ ବିନାଶକ ଶ୍ରୀ ଗଣେଶ। ମହାରାଷ୍ଟ୍ର ରାଜଧାନୀରେ ଧୁମଧାମରେ ପାଳିତ ହୋଇଥାଏ ଗଣେଶୋତ୍ସବ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଗଣେଶ ପୂଜା ଲାଗି ୧୪୪ ଧାରା ଜାରି । ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଆଜି ଠାରୁ ଆସନ୍ତା ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ। ମହାରାଷ୍ଚ୍ରରେ ଏବେବି କରୋନା ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏଣୁ ପାର୍ବଣରେ ଭୂତାଣୁ ସଂକ୍ରମଣ ନେଇ ସରକାର ଏପରି ପଦକ୍ଷେପ ନେଇଥିବା ସୂଚିତ କରିଛନ୍ତି।
୧୪୪ ଧାରା ଲାଗିଥିବାରୁ ଗୋଟିଏ ସ୍ଥାନରେ ୫ କିମ୍ବା ତା’ ଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିପରି ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ ହେବେ। ଶ୍ରଦ୍ଧାଳୁମାନେ ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ। ଏହା ଛଡା ୧୪୪ ଧାରା ଯୋଗୁ ଗଣେଶ ଉତ୍ସବ ପାଳନ କାଳରେ ସହରର କୌଣସି ସ୍ଥାନରେ ବଡ କାର୍ଯ୍ୟକ୍ରମ ଆୟୋଜନର ଅନୁମତି ମଧ୍ୟ ଦିଆଯିବନି। ଏଣୁ କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ ହୋଇପାରିବନି। ତେବେ ରାଜ୍ୟରେ ଗଣେଶ ପୂଜା ପୂର୍ବରୁ ସରକାର କଡାକଡି ସାମାଜିକ ଦୂରତା ପାଳନ ହେବେ ବୋଲି କହିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ଜାରି ସର୍କୁଲାରରେ ଲୋକଙ୍କୁ ପୂଜା ପେଣ୍ଡାଲ ବୁଲିବାର ଅନୁମତି ମଧ୍ୟ ବାତିଲ କରାଯାଇଛି। ଗଣେଶ ଉତ୍ସବ ଲାଗି ପୂର୍ବରୁ ମହାରାଷ୍ଟ୍ର ସରକାର ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି। ସେହି ଅନୁସାରେ ପୂଜା ଆୟୋଜନ ହେବ ବୋଲି ଗୃହମନ୍ତ୍ରାଳୟ କହିଛନ୍ତି।
ସୂଚନା ଯେ, ମୁମ୍ବାଇର ଗଣେଶ ପୂଜା ସବୁଠାରୁ ବଡ଼ ପର୍ବ। ପୂଜା ଠାରୁ ଏହା ଶୋଭାଯାତ୍ରା ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥାଏ। କିନ୍ତୁ ପୂର୍ବବର୍ଷ ଭଳି ଏଥର ମଧ୍ୟ ଭିଡ଼କୁ ନିୟନ୍ତ୍ରଣ ପାଇଁ ପ୍ରତିମୂର୍ତ୍ତି ବସର୍ଜନ ବେଳେ କୌଣସି ପ୍ରକାରର ଶୋଭାଯାତ୍ରା ହୋଇ ପାରିବ ନାହିଁ।ପୋଲିସ୍ ପ୍ରଶାସନ ଶୋଭାଯାତ୍ରା କରିବାକୁ କାହାକୁ ବି ଅନୁମତି ଦେଇନାହିଁ। ତେବେ ବିଭିନ୍ନ ମଣ୍ଡପରେ ନୀତିକାନ୍ତି ସହ ଗଣେଶ ପୂଜା ହେବ। ଏଠାରେ କେବଳ କର୍ତ୍ତା ଓ ପୂଜକଙ୍କୁ ଛାଡ଼ି କିଛି ହାତ ଗଣତି ଲୋକ ରହିପାରିବେ।