ଆଜି ସମ୍ବିଧାନ ପୁରୋଧା ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ
ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ସାମାଜିକ କର୍ମୀ ଓ ବହୁଗୁଣ ସମ୍ପନ୍ନ ବି ଆର ଆମ୍ବେଦକରଙ୍କ ସ୍ମୃତିରେ ପାଳନ କରାଯାଏ । ଅପ୍ରେଲ ୧୪ ତାରିଖ ୧୮୯୧ ମସିହା ଦିନ ଡ. ବାବାସାହେବ ଆମ୍ବେଦକର ଜନ୍ମଗ୍ରହଣ କରିଥିବା ଯୋଗୁ ଏହି ଦିନ ପାଳନ କରାଯାଏ । ଏହି ଦିନଟି ୨୦୧୫ ମସିହାରୁ ଏକ ଜନ ସାଧାରଣ ଛୁଟି ଭାବରେ ପାଳନ କରାଯାଉଛି । ଏହି ଦିବସଟି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି । ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି, ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି ।
ଦେଶ ଆଜି ଭାରତୀୟ ସମ୍ବିଧାନର ମୁଖ୍ୟ ପୁରୋଧା ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏଥିଲାଗି ଦେଶ ତମାମ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଉ କିଛି ସମୟ ପରେ ସଂସଦ ଭବନରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବ। ଜଣେ ମହାନ ସମାଜ ସଂସ୍କାରକ, ଅର୍ଥନୀତିଜ୍ଞ ଓ ରାଜନେତା ଭାବରେ ଲୋକପ୍ରିୟ ବାବାସାହେବ ଡକ୍ଟର ଆମ୍ବେଦକର ଦେଶ ଓ ଦେଶବାସୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସମାଜରେ ସାମାଜିକ ଓ ଜାତିପ୍ରଥା ଆଧାରରେ ବିଭେଦତା ଦୂର କରିବା କ୍ଷେତ୍ରରେ ତାଙ୍କ ଭୂମିକା ଅବିସ୍ମରଣୀୟ। ସ୍ୱାଧୀନ ଭାରତର ସେ ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ଥିଲେ। ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।