ବାଲେଶ୍ୱର : ଦିନକରେ ୧୫୫ ସଂକ୍ରମିତ ଓ ୨୨୦ ସୁସ୍ଥ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦୈନିକ ସଂକ୍ରମଣ ହ୍ରାସକୁ ନେଇ ସାଧାରଣରେ ଆଶ୍ୱସ୍ତି ଆସିଛି । ଗତ ୨ ମାସଧରି ଜିଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ଶହରୁ ୪ ଶହ ମଧ୍ୟରେ ରହୁଥିବା ବେଳେ ସମ୍ପ୍ରତି ତାହା ୨ଶହ ତଳକୁ ଖସିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଭାସ୍କରଗଞ୍ଜରୁ ୪ଜଣ, ସୁନହଟରୁ ୩, ସହଦେବଖଣ୍ଟାରୁ ୨ ଓ ମୋତିଗଞ୍ଜରୁ ୨ଜଣଙ୍କ ସମେତ ଦର୍ଜିପୋଖରୀ, ଗୋପାଳଗାଁ, ମାନସିଂବଜାର, ନେଳିଆବାଗ, ପୁଲିସ ଲାଇନ, ପୁରୁଣାବାଲେଶ୍ୱର, ବିବେକାନନ୍ଦ ମାର୍ଗ, ପଢୁଆଁପଦା ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୧୫ଜଣ, ବାଲିଆପାଳରୁ ୪ଜଣ, ଜଳେଶ୍ୱରରୁ ଜଣେ, ଖଇରାରୁ ୧୪, ନୀଳଗିରରୁ ୬, ଔପଦାରୁ ୧୭, ରେମୁଣାରୁ ୩୧, ସଦରରୁ ୧୪, ସିମୁଳିଆରୁ ୯ ଓ ସୋର ବ୍ଲକରୁ ୨୫ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪,୬୫୮ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୩୧,୮୬୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୨,୬୫୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୩୩ଜଣ ଗୃହ ସଙ୍ଗରୋଧରେ ଏବଂ ୧୨୪ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ବେଳେ ଜିଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୩ରେ ସ୍ଥିର ରହିଥିବା ସରକାରୀ ୱେବସାଇଟରେ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଟିକା ଉପଲବ୍ଧ ନଥିବା ଯୋଗୁଁ ଗତ କିଛିଦିନ ଧରି ଜିଲାରେ ବନ୍ଦ ରହିଥିବା ସାମୂହିକ ଟିକାକରଣ ସୋମବାରଠାରୁ ପୁଣି ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ ଜାରି ରହିବ ବୋଲି ସୂଚନା ଦିଆଯାଇଥିବା ବେଳେ ପ୍ରଥମ ଦିନରେ ମୋଟ ୨୬,୩୮୦ଜଣଙ୍କୁ ଟିକା ଦିଆଯାଇଛି । ଜିଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୨୭ ଗୋଟି କେନ୍ଦ୍ରରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବଗୋଷ୍ଠୀଙ୍କୁ ୮ହଜାର ପ୍ରଥମ ପାନ ଓ ୬୪ ଗୋଟି କେନ୍ଦ୍ରରେ ୧୮,୩୮୦ ଜଣଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପାନ ଟିକା ଦିଆଯାଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୬,୫୭,୯୨୨ଜଣ ଙ୍କୁ ଟିକା ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୫,୧୫,୮୯୮ଜଣ ପ୍ରଥମ ପାନ ଓ ୧,୪୨,୦୨୪ଜଣ ଦ୍ୱିତୀୟ ପାନ ଟିକା ନେଇଥିବା ଜଣାପଡ଼ିଛି । ଅଦ୍ୟାବଧି ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସର ୨,୭୫,୬୮୨ଜଣ, ୪୫ରୁ ୬୦ବର୍ଷ ମଧ୍ୟରେ ୨,୭୫,୮୭୬ଜଣ ଓ ୧୮ରୁ ୪୪ବର୍ଷ ମଧ୍ୟରେ ୧,୦୬,୩୬୫ଜଣ ଟିକା ନେଇଥିବା ସୂଚନା ମିଳିଛି ।