ବାଲେଶ୍ୱର : ଦିନକରେ ଆଉ ୪୩୭ କରୋନା ସଂକ୍ରମିତ ଚିହ୍ନଟ
ବାଲେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ନୂଆ ଭାବେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାରେ ୪୩୭ଜଣ ଚିହ୍ନଟ ହେବାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।
COVID 19 report of BALASORE district as on 07/05/21. pic.twitter.com/1JHiv3najt
— DM Balasore (@DBalasore) May 7, 2021
ନୂଆ ସଂକ୍ରମିତଙ୍କ ମଧ୍ୟରେ ସହରର ଅରଡ଼ବଜାର ଅଞ୍ଚଳରେ ୩ଜଣ, ମୋତିଗଞ୍ଜରେ ୩ ଜଣ, ନୂଆବଜାରରେ ୨ଜଣ, ସୁନହଟରେ ୨ଜଣଙ୍କ ସମେତ ବିସିସେନ ରୋଡ଼, ଚିଡ଼ିଆପୋଲ, ଦାମୋଦରପୁର, ଜିଲା ମୁଖ୍ୟ ଚିକିତ୍ସାଳୟ, ଏଫଏମ ନଗର, ହେମକାପଦା, ଖପରାପଦା, ମାକଲପୁର, ମଠସାହି, ମିର୍ଜାପୋଖରୀ, ନୂଆଗାଁ, ରାଣୀପାଟଣା, ଶ୍ରୀକଣ୍ଠପୁର, ଭିଆଇପରୋଡ଼ ପ୍ରଭୃତି ଅଞ୍ଚଳରେ ଜଣେ ଲେଖାଏଁ ଅଛନ୍ତି । ସେହିପରି ସଦର ବ୍ଲକ ଅଞ୍ଚଳରେ ୩୩ ଜଣ, ରେମୁଣା ବ୍ଲକରେ ୧୭ ଜଣ, ବାହାନଗା ବ୍ଲକରେ ୧୦ ଜଣ, ବାଲିଆପାଳ ବ୍ଲକରେ ୮୪ ଜଣ, ବସ୍ତା ବ୍ଲକରେ ୪୩ ଜଣ, ଭୋଗରାଇ ବ୍ଲକରେ ୫୧ ଜଣ, ଜଳେଶ୍ୱର ବ୍ଲକରେ ୮ ଜଣ, ଖଇରା ବ୍ଲକରେ ୧୪ ଜଣ, ନୀଳଗିରି ବ୍ଲକରେ ୭୦ ଜଣ, ଔପଦା ବ୍ଲକରେ ୮ ଜଣ, ସିମୁଳିଆ ବ୍ଲକରେ ୮୦ ଜଣ ଓ ସୋର ବ୍ଲକରେ ୬ ଜଣ ନୂଆ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୀଳଗିରି, ଭୋଗରାଇ, ବାଲିଆପାଳ, ବସ୍ତା ଓ ସିମୁଳିଆ ପ୍ରଭୃତି ବ୍ଲକରେ ଏକକାଳୀନ ଅଧିକ ବ୍ୟକ୍ତି ସଂକ୍ରମିତ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଗାମୀ ଦିନ ପାଇଁ ମହା ବିପଦ ଭାବେ ଉଭା ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ହିସାବ ଅନୁସାରେ ଗତ ଏପ୍ରିଲ ମାସରେ ଜିଲାର ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁବାକୁ ୨୦ଦିନ ଲାଗିଥିଲା । ପରବର୍ତ୍ତୀ ସଂଖ୍ୟା ହଜାରେ ପହଞ୍ଚିବାକୁ ୧୦ ଦିନ ଲାଗିଥିଲା । ମାତ୍ର ମେ ମାସରେ ୬ ଦିନରେ ସଂକ୍ରମିତ ସଂଖ୍ୟା ୧୨୬୬ ରେ ପହଞ୍ଚିବା ଉଦବେଗର ବିଷୟ ହୋଇଛି । ଏନେଇ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ ସର୍ବଦା ମାସ୍କ ବ୍ୟବହାର ଓ ସମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।