ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ
କେନ୍ଦୁଝର: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ । ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଛନ୍ତି। କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି ଗନ୍ଧମାର୍ଦ୍ଦନ ମାଇନ୍ସଠାରୁ ଗୁହାଳଡିହି ରେଲୱେ ସାଇଟିଂ ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଟ୍ରେନ୍ ଲାଇନ୍ ଆରମ୍ଭ ହେଲେ ଜିଲ୍ଲାର ହଜାର ହଜାର ଟ୍ରକ୍ ଚଳାଚଳ ବନ୍ଦ ହୋଇଯିବ ବୋଲି ସଂଘ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । ଅତ୍ୟାଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଟ୍ରକ୍ ମାଲିକ ସଂଘ ସହ ୧୫ରୁ ଅଧିକ ସଙ୍ଗଠନ ବନ୍ଦକୁ ସମର୍ଥନ କରିଛନ୍ତି।
ଟ୍ରକ ମାଲିକଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରର ପ୍ରଭାବ ସମଗ୍ର ଜିଲ୍ଲାରେ ପଡ଼ିଛି। ତେଲକୋଇର ଜଗମୋହନପୁର ଓ ତୁରୁମୁଙ୍ଗାରେ ଜାତୀୟ ରାଜପଥ-୪୯କୁ ଅବରୋଧ କରିଛନ୍ତି ଟ୍ରକ୍ ମାଲିକ। ସେହିପରି ଆନନ୍ଦପୁର, ଘଟଗାଁ, ହରିଚନ୍ଦନପୁର, ପାଟଣା,ରାଇସୁଆଁ, ପଦ୍ମପୁର, ଝୁମ୍ପୁରା ଓ ରିମୁଳି ଆଦି ସ୍ଥାନରେ ଟ୍ରକ୍ ମାଲିକମାନେ ବିଭିନ୍ନ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।