ପେଗାସସ୍ ମାମଲା : ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡାଇ ନେଇ ଚିରି ଫୋପାଡିଲେ ଟିଏମସି ସାଂସଦ
ନୂଆଦିଲ୍ଲୀ : ସଂସଦରେ ଗୁରୁବାର ମଧ୍ୟ ଇସ୍ରାଏଲ ସଫ୍ଟ ଓୟାର ପେଗାସସ୍ ମାମଲାକୁ ନେଇ ବିରୋଧୀଙ୍କ ନାରାବାଜି ଏବଂ ପ୍ରବଳ ହଟ୍ଟଗୋଳରେ କମ୍ପିଲା ଗୃହ। ସ୍ଥିତି ଏମିତି ହେଲା ଯେ, ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ମଧ୍ୟ ଠିକରେ ରଖି ପାରି ନାହାନ୍ତି। ଏପରିକି ତୃଣମୂଳ କଂଗ୍ରେସ ସାଂସଦ ହଙ୍ଗାମା କରିବା ସହ ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ନେଇ ଚିରି ଗୃହର ମଧ୍ୟଭାଗରେ ଫୋପାଡିଛନ୍ତି। ଏମିତିରେ ଗୃହ ମୁଲତବୀ ରଖିବାକୁ ପଡିଥିଲା।
ଆଜି କ୍ରମାଗତ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ବିଜେପି ଓ ଟିଏମସି ସାଂସଦ ମଧ୍ୟରେ ଉପରେ ଖୁବ୍ ନାରାବାଜି ହୋଇଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ସେନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, ମାର୍ସଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ହଙ୍ଗାମା କାରଣରୁ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ଠିକ୍ ଢଙ୍ଗରେ ମଧ୍ୟ ରଖି ପାରି ନାହାନ୍ତି। ଦୁଇ ଥର ଗୃହ ମୁଲତବୀ ପରେ ଅପରାହ୍ନ ୨ଟାରେ ଯେମିତି ଗୃହ କାର୍ଯ୍ୟ ଆରମ୍ଭ ହେଲା । ଉପ ସଭାପତି ହରିବଂଶ ନିଜର ତଥ୍ୟ ରଖିବାକୁ ବୈଷ୍ଣବଙ୍କୁ ଅନୁମତି ଦେଇଥିଲେ। ଆଜି ରାଜ୍ୟସଭାରେ ବୈଷ୍ଣବ ବହୁଚର୍ଚ୍ଚିତ ପେଗାସସ୍ ପ୍ରକଳ୍ପ ରିପୋର୍ଟ ସମ୍ପର୍କରେ ବକ୍ତବ୍ୟ ରଖୁଥିବାବେଳେ ତୃଣମୂଳ କଂଗ୍ରେସ ସାଂସାଦ ଶାନ୍ତନୁ ସେନ ବୈଷ୍ଣବଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତରେ ଥିବା କାଗଜକୁ ଛଡ଼ାଇଆଣି ଚିରିଦେଇଥିଲେ । ଏହଫଳରେ ବୈଷ୍ଣବ ନିଜର ବକ୍ତବ୍ୟ ରଖିପାରିନଥିଲେ । ଏହାପରେ ଉପାଧ୍ୟକ୍ଷ ହରିବଂଶ ରାଜ୍ୟସଭାକୁ ମୁଲତବୀ କରିଦେଇଥିଲେ । ଏହା ସତ୍ତ୍ବେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ଉପ ସଭାପତି ଅସଂସଦୀୟ ଆଖ୍ୟା ଦେଇଛନ୍ତି। ଅଲଗା ଅଲଗା ପ୍ରସଙ୍ଗରେ ଗୃହରେ ହଙ୍ଗାମା କାରଣରୁ ଗୁରୁବାର ରାଜ୍ୟସଭା କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ଶୂନ୍ୟକାଳ ଓ ପ୍ରଶ୍ନକାଳ ମଧ୍ୟ ହୋଇ ପାରିନଥିଲା। ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ଏହା ପରେ ମଧ୍ୟ ଗୃହକାର୍ଯ୍ୟ ସ୍ଵଭାବିକ ହୋଇ ପାରିନଥିଲା।