ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ରାଜ୍ୟରେ କିଛି ଦିନ ତଳେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରୁଥିବା ସମୟରେ ଏବେ ଏହା ୧୦ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୫୪୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଓ ଜଗତସିଂହପୁରରୁ ୨ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ୧୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦,୨୫,୩୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୧୧,୪୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୮୭ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୮,୧୮୭ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।